Report Card Odisha

| Daily Odia News

ସିଏଜି ରିପୋର୍ଟ ଉପସ୍ଥାପିତ,ସୋମବାର ଯାଏଁ ଗୃହ ମୁଲତବି….

ରିପୋର୍ଟ କାର୍ଡ / ଭୁବନେଶ୍ବର

ଶୀତକାଳନୀ ଅଧିବେଶନରେ ଆଜି ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଯାଇଛି। ସିଏଜି ରିପୋର୍ଟ ଉପସ୍ଥାପନ ବେଳେ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଛନ୍ତି। କଂ‌ଗ୍ରେସର ବିଧାୟକମାନେ ଆଦାନୀ ପ୍ରସଙ୍ଗରେ ନିଜ ଆସନରେ ଠିଆହୋଇ ପୋଷ୍ଟର ଦେଖାଇ ପ୍ରଦର୍ଶନ କରିଛନ୍ତି। ଏହାରି ମଧ୍ୟରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଆସନ୍ତା ସୋମବାର ପୂର୍ବାହ୍ଣ ୧୦ଟା ୩୦ ଯାଏଁ ମୁଲତବି ଘୋଷଣା କରିଛନ୍ତି। ବିଧାନସଭାରେ ଆଜି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏଥିରେ ସୁଭଦ୍ରା ଯୋଜନା, ଛତୁଆ ଓ ଅବକାରୀ ବିଭାଗର ରାଜସ୍ବ ଆଦି ସାମିଲ ଥିଲା। ସୁଭଦ୍ରା ଯୋଜନା ସଂପର୍କରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରାୟ ୮୦ ଲକ୍ଷରୁ ଅଧିକ ଲୋକ ଟଙ୍କା ପାଇସାରିଥିବାବେଳେ, ୨୭ ହଜାରରୁ ଅଧିକ ଲୋକ ବ୍ୟାଙ୍କ ଓ ଆଧାର ତ୍ରୁଟି କାରଣରୁ ଟଙ୍କା ପାଇପାରି ନାହାଁନ୍ତି। ଏଥିସହ ୨ ଲକ୍ଷ ୨୦ ହଜାରରୁ ଅଧିକ ଲୋକ ସୁଭଦ୍ରା ଯୋଜନା ପାଇଁ ଅଯୋଗ୍ୟ ବିବେଚିତ ହେଇଛନ୍ତି। ଡିସେମ୍ବର ୨ ତାରିଖ ସୁଦ୍ଧା ରାଜ୍ୟର ୧,୦୫,୪୩,୨୩୮ ଜଣ ଲୋକ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି। ସେଥିମଧ୍ୟରୁ ୮୦ ଲକ୍ଷ ୧ ହଜାର ୯୯୭ ଜଣ ସୁଭଦ୍ରା ଟଙ୍କା ପାଇଛନ୍ତି। ତେବେ ୨୭ ହଜାର ୭୭୪ ଜଣ ବ୍ୟାଙ୍କ ଆକାଉଣ୍ଟ ଓ ଆଧାର ଗତ ତ୍ରୁଟି କାରଣରୁ ଏବଂ ୨ ଲକ୍ଷ ୨୦ ହଜାର ୨୫୯ ଜଣ ଅଯୋଗ୍ୟ ବିବେଚିତ ହେବା କାରଣରୁ ଟଙ୍କା ପାଇପାରିନାହାଁନ୍ତି। ଶ୍ରୀମତୀ ପରିଡ଼ା ଛତୁଆ ପ୍ରସଙ୍ଗରେ କହିଛନ୍ତି, ୧୨୫ଟି ଏସଏଚଜି ଗ୍ରୁପ ବିରୋଧରେ ଅଭିଯୋଗ ଆସିଛି। ଅଭିଯୋଗ ଆସିଲା ପରେ ଭୁବନେଶ୍ଵର ରାଜ୍ୟ ଖାଦ୍ୟ ପରୀକ୍ଷାଗାରରେ ଛତୁଆ ନମୁନା ପରୀକ୍ଷା ହୋଇଥିଲା। ଏନେଇ ୬୩ ଏସଡିପିଓଙ୍କ ସମେତ ସୁପରଭାଇଜରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ମହିଳା ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି କରାଯାଇଛି। ବାରବାଟୀ-କଟକ ବିଧାୟିକା ବିଧାୟକ ସୋଫିଆ ଫିର୍ଦୋସଙ୍କ ପ୍ରଶ୍ନରେ ଉତ୍ତର ଦେଇ ଶ୍ରୀ ହରିଚନ୍ଦନ କହିଥିଲେ ଗତ ଆର୍ଥିକ ବର୍ଷରେ ଓଡିଶାରେ ମଦ ବିକ୍ରୟରୁ ସଂଗ୍ରହ ହୋଇଥିବା ମୋଟ ଅବକାରୀ ରାଜସ୍ୱ ୭,୨୧୬.୯୯ କୋଟି ଟଙ୍କା ଏବଂ ମୋଟ ରାଜସ୍ୱ (ଭାଟ୍ ସମେତ) ୧୦,୧୮୨.୨୪ କୋଟି ଟଙ୍କା ଅଟେ।

Breaking News