Report Card Odisha

| Daily Odia News

‘ଅଭିମନ୍ୟୁଙ୍କ ଭଳି ଭାରତକୁ ୬ ଜଣ ଚକ୍ରବ୍ୟୁହରେ ଫସାଇଛନ୍ତି’ ‘ପଦ୍ମବ୍ୟୁହ’କୁ ଭାଙ୍ଗିବୁ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଲୋକସଭାରେ ଅଭିଭାଷଣ ରଖି ରାହୁଲ ଗାନ୍ଧି କହିଛନ୍ତି, ଅଭିମନ୍ୟୁଙ୍କୁ ଯେମିତି ଚକ୍ରବ୍ୟୁହରେ ଫସାଇ ୬ ଜଣ ଲୋକ ମାରିଥିଲେ, ସେହିପରି ଭାରତକୁ ୬ ଜଣ ଲୋକ ଚକ୍ରବ୍ୟୁହରେ ଫସାଇଛନ୍ତି।କହିଛନ୍ତି, ଭାରତ ବର୍ତ୍ତମାନ ପଦ୍ମଫୁଲ ଚିହ୍ନରେ ପ୍ରତିନିଧିତ୍ୱ ହୋଇଥିବା ଚକ୍ରବ୍ୟୁହ ଫାଶରେ ପଡ଼ିଛି, ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଛାତିରେ ମାରି ବୁଲୁଛନ୍ତି। ସେ ଆହୁରି କହିଛନ୍ତି, “ହଜାର ହଜାର ବର୍ଷ ପୂର୍ବେ କୁରୁକ୍ଷେତ୍ରରେ ୬ ଜଣ ବ୍ୟକ୍ତି ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ, କର୍ଣ୍ଣ, କ୍ରିତବର୍ମା, ଅଶ୍ୱସ୍ଥାମା ଏବଂ ସକୁନି ଅଭିମନ୍ୟୁଙ୍କୁ ‘ଚକ୍ରବ୍ୟୁହ’ରେ ଫଶାଇ ହତ୍ୟା କରିଥିଲେ। ମୁଁ ଏ ଉପରେ ଅନୁସନ୍ଧାନ କରି ଜାଣିଲି ଯେ, ଚକ୍ରବ୍ୟୁହ ଠିକ୍ ପଦ୍ମ ଫୁଲର ଗଠନ ପରି।ଏକବିଂଶ ଶତାବ୍ଦୀରେ ନୂଆ ଚକ୍ରବ୍ୟୁହ ଗଠନ କରାଯାଇଛି, ତାହା ହେଉଛି ପଦ୍ମବ୍ୟୁହ।” ଏହି ପଦ୍ମବ୍ୟୁହରେ ସମଗ୍ର ଭାରତ- ଯୁବକ, କୃଷକ, ମହିଳା, କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟୀଙ୍କୁ ଫସା ଯାଇଛି। କୁରୁକ୍ଷେତ୍ରରେ ଅଭିମନ୍ୟୁଙ୍କୁ 6 ଜଣ ଚକ୍ରବ୍ୟୁହରେ ଫସାଇ ମାରିଥିଲେ. ବର୍ତ୍ତମାନର ପଦ୍ମବ୍ୟୁହରେ ବି ୬ ଜଣ ଅଛନ୍ତି ବୋଲି ରାହୁଲ ଗାନ୍ଧି କହିଛନ୍ତି। ରାହୁଲ ଗାନ୍ଧି କହିଛନ୍ତି ଯେ, ପଦ୍ମବ୍ୟୁହର ୬ ଜଣ ହେଉଛନ୍ତି – ନରେନ୍ଦ୍ର ମୋଦି, (କେନ୍ଦ୍ର ଗୃହମନ୍ତ୍ରୀ) ଅମିତ ଶାହା, (ଆରଏସଏସ ମୁଖ୍ୟ) ମୋହନ ଭଗବତ, (ଜାତୀୟ ସୁରକ୍ଷା ପରାମର୍ଶଦାତା) ଅଜିତ ଡୋଭାଲ, (ଶିଳ୍ପପତି) ଅମ୍ବାନୀ ଏବଂ ଆଦାନୀ। ଏହାକୁ ନେଇ ବିରୋଧୀ ହଙ୍ଗାମା କରିବା ସହ ବାଚସ୍ପତି ଓମ୍ ବିର୍ଲା ମଧ୍ୟ ରାହୁଲ ଗାନ୍ଧିଙ୍କୁ ଅଟକାଇଥିଲେ। ବାଚସ୍ପତି କହିଥିଲେ ଯେ, ପ୍ରତିପକ୍ଷ ନେତା ହିଁ ଲିଖିତ ଆକାରରେ ଦାବି କରିଥିଲେ ଯେ ଗୃହରେ ଯେଉଁମାନେ ନାହାନ୍ତି ସେମାନଙ୍କ ନାମ ଉଠାଯିବ ନାହିଁ, ତେବେ କଣ ପାଇଁ ଅନ୍ୟମାନଙ୍କ ନାମ ନେଇ ଗୃହର ମର୍ଯ୍ୟାଦା ଭଙ୍ଗ କରୁଛନ୍ତି ବୋଲି ରାହୁଲ ଗାନ୍ଧିଙ୍କୁ ପ୍ରଶ୍ନ କରିଥେଲ। ଏହାପରେ ରାହୁଲ ଗାନ୍ଧି କହିଥିଲେ, “ସାର୍ ଆପଣ ଯଦି ଚାହୁଁଛନ୍ତି ତେବେ ମୁଁ ତିନି ଜଣଙ୍କ ନାଁ ହଟାଇ ଦେଉଛି। ଭାରତକୁ କାବୁ କରିଥିବା ଚକ୍ରବ୍ୟୁହ ପଛରେ ଆହୁରି ତିନୋଟି ଶକ୍ତି ଅଛି, ତାହା ହେଉଛି ଏକଛତ୍ରବାଦ ଶାସନର ଚିନ୍ତାଧାରା। ଦ୍ୱିତୀୟ ହେଉଛି, ଏଜେନ୍ସି- କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ), ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି), ଆୟକର ବିଭାଗ (ଆଇଟି) ଏବଂ ତୃତୀୟ, ରାଜନୈତିକ କାର୍ଯ୍ୟନିର୍ବାହୀ ଅଧିକାରୀ।” ଏହି ତିନି ଜଣ ଚକ୍ରବ୍ୟୁହର ମୂଳରେ ରହି ଦେଶକୁ ଧ୍ୱଂଶ କରିଛନ୍ତି ବୋଲି ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି। ରାହୁଲ କହିଛନ୍ତି, ଏକବିଂଶ ଶତାବ୍ଦୀରେ ଭାରତକୁ ପଦ୍ମବ୍ୟୁହରେ ଫସାଯାଇଛି। ବର୍ତ୍ତମାନ ଦେଶ ଭୟର ବାତାବରଣରେ ବଞ୍ଚିଛି। ଏହି ଭୟ ପ୍ରତି କୋଣକୁ ବ୍ୟାପି ଯାଇଛି। ଦେଶ ଭୟରେ ଥିବା କହିବା ପରେ ବିଜେପି ନେତାଙ୍କୁ ଇଙ୍ଗିତ କରି ରାହୁଲ ଗାନ୍ଧି କହିଛନ୍ତି, ମୋ ବନ୍ଧୁମାନେ (ବିଜେପି ସାଂସଦ) ହସୁଛନ୍ତି, କିନ୍ତୁ ସେମାନେ ମଧ୍ୟ ଭୟଭୀତ ଅଛନ୍ତି। ବିଜେପିରେ କେବଳ ଜଣେ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖିବାକୁ ଅନୁମତି ଦିଆଯାଇଛି। ଯଦି ପ୍ରତିରକ୍ଷା ମନ୍ତ୍ରୀ ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା କରିବେ, ତେବେ ବଡ଼ ସମସ୍ୟା ହୋଇଯିବ। ଏଥିପାଇଁ ସେ ମଧ୍ୟ ଭୟରେ ଅଛନ୍ତି। ଏହି ଭୟ ସାରା ଦେଶରେ ବ୍ୟାପିଛି ବୋଲି ରାହୁଲ ଗାନ୍ଧି କହିଛନ୍ତି। ବଜେଟକୁ ମଧ୍ୟ ସମାଲୋଚନା କରିଛନ୍ତି ରାହୁଲ ଗାନ୍ଧି। ବଜେଟରେ ଟିକସ ଟେରୋରିଜିମ ସମସ୍ୟାର ସମାଧାନ ହୋଇନାହିଁ, ଏବଂ ଏହି ବଜେଟ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ହିତକର ନୁହେଁ ବୋଲି ରାହୁଲ ଗାନ୍ଧି କହିଛନ୍ତି। ସେ କହିଛନ୍ତି, “ମୋର ଆଶା ଥିଲା ଏହି ବଜେଟ୍ ‘ଚକ୍ରବ୍ୟୁହ ‘ର ଶକ୍ତି ଦୁର୍ବଳ କରିବ, ଦେଶର କୃଷକମାନଙ୍କୁ ସାହାଯ୍ୟ କରିବ, ଯୁବକମାନଙ୍କୁ ସାହାଯ୍ୟ କରିବ, ଶ୍ରମିକମାନଙ୍କୁ ଏବଂ କ୍ଷୁଦ୍ର ବ୍ୟବସାୟକୁ ସାହାଯ୍ୟ କରିବ। କିନ୍ତୁ ମୁଁ ଯାହା ଦେଖୁଛି, ଏହି ବଜେଟର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଏକଚାଟିଆ ବ୍ୟବସାୟ ଢାଞ୍ଚାକୁ ଦୃୃଢ଼ କରିବା।” ପ୍ରକାଶ ଥାଉକି, ଲୋକସଭାରେ ଆଜି ରାହୁଲ ଗାନ୍ଧି ମହାଭାରତର ଚକ୍ରବ୍ୟୁହ ଉଦାହରଣ ଦେଇ ଅଭିମନ୍ୟୁଙ୍କ ଭଳି ଭାରତକୁ ପଦ୍ମବ୍ୟୁହରେ ଫସା ଯାଇଛି ବୋଲି କହିଛନ୍ତି। ସେ କହିଛନ୍ତି ଯେ, ବିଜେପି ପଦ୍ମବ୍ୟୁହ କରି ଭାରତକୁ ଫସାଇଛି, ଇଣ୍ଡିଆ ବ୍ଲକ୍ ଏହାକୁ ଭାଙ୍ଗିବ। ଇଣ୍ଡିଆ ମେଣ୍ଟ ଜାତିଗତ ଜନଗଣନା କରି ବିଜେପିର ପଦ୍ମବ୍ୟୁହକୁ ଭାଙ୍ଗିବ ବୋଲି ରାହୁଲ ଗାନ୍ଧି କହିଛନ୍ତି। ସେ ଆହୁରି ଦାବି କରି କହିଛନ୍ତି ଯେ, ଇଣ୍ଡିଆ ବ୍ଲକ୍ ଗୃହରେ ଆଇନ ଆଣି କୃଷକମାନଙ୍କୁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଯୋଗାଇବ।

Breaking News