ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଭାଗର ସଚିବମାନେ ଚିରାଚରିତ ଢାଞ୍ଚାରେ ଆଉ କାମ କରନ୍ତୁନି। ଏଥିରୁ ବାହାରନ୍ତୁ। ନିଜ ନିଜ ବିଭାଗରେ ଦୀର୍ଘ ସୂତ୍ରୀ ଏବଂ ନୂଆ ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦିଅନ୍ତୁ। ସାଧାରଣ ଲୋକ ଯାହା ଚାହୁଁଛନ୍ତି, ଯେଉଁ ଯୋଜନାରେ ଅଧିକ ଲୋକ ଉପକୃତ ହେବେ, ଯେଉଁଥିରେ ରାଜ୍ୟର ବିକାଶ କରିବ ସେହିଭଳି କାମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ବିଭାଗର ସଚିବଙ୍କୁ ପରାମର୍ଶ ଦେଇଛନ୍ତି। ଆଜି ସଂଧ୍ୟାରେ ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ସବୁ ବିଭାଗର କାର୍ଯ୍ୟ ସମୀକ୍ଷା କରିଥିଲେ। ଏଥିରେ ସେ ସମସ୍ତ ମନ୍ତ୍ରୀ ଓ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ଜନାଭିମୁଖୀ କାଯ୍ୟକ୍ରମଗୁଡ଼ିକୁ ବ୍ୟାପକ କରନ୍ତୁ। ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ରୁ କେଉଁ ବିଭାଗ କେତେ ଅର୍ଥ ଖର୍ଚ୍ଚ କରିଛି ସେନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ। ଯେଉଁ ସବୁ ବିଭାଗରେ ଅଦ୍ୟାବଧି ଖର୍ଚ୍ଚ କମ୍ ହୋଇଛି, ସେହିସବୁ ବିଭାଗକୁ ଖର୍ଚ୍ଚ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ସମସ୍ତ ବିଭାଗଗୁଡ଼ିକୁ ମଧ୍ୟ ଅନୁରୂପ ଭାବେ ଆଗାମୀ ବଜେଟ ପୂର୍ବରୁ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ କରି ଖର୍ଚ୍ଚ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସ୍ୱାସ୍ଥ୍ୟ ସେବା ଓ ଭିତ୍ତିଭୂମିର ଉନ୍ନତି, ସାମାଜିକ ସୁରକ୍ଷା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ତରଫରୁ ରାସ୍ତା ଓ ସେତୁ ନିର୍ମାଣର ଅଗ୍ରଗତି ସହ ଓଡ଼ିଶାରେ ଜାତୀୟ ରାଜପଥର ଉନ୍ନତୀକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। କୃଷି ବିଭାଗ ତରଫରୁ ଶୀତଳ ଭଣ୍ଡାର ଖୋଲାଯିବା, ବିଦ୍ୟାଳୟ ଉନ୍ନତୀକରଣ, ଜଳସମ୍ପଦ ବିଭାଗ ପ୍ରକଳ୍ପଗୁଡିକର କାର୍ଯ୍ୟ ଅଗ୍ରଗତି, ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ହିତାଧିକାରୀଙ୍କୁ ଅର୍ଥ ପ୍ରେରଣ ସହିତ ଆଗାମୀ ଦ୍ବିତୀୟ କିସ୍ତି ପ୍ରଦାନ, ପୁଲିସ ସେବା ସୁଦୃଢ଼ୀକରଣ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହାସହ ମୁଖ୍ୟମନ୍ତ୍ରୀ ସଚିବମାନଙ୍କୁ କହିଛନ୍ତି, ଅନେକ ବିଭାଗ ଭଲ କାମ କରିଛନ୍ତି। ମୋଟାମୋଟି ଭାବେ କାର୍ଯ୍ୟ ଓ ଖର୍ଚ୍ଚ ଠିକ୍ ଚାଲିଛି। ସମସ୍ତଙ୍କୁ ବିଭାଗ ପ୍ରତି ଯତ୍ନବାନ ହେବାକୁ ପଡ଼ିବ। ନିଜ ନିଜ ବିଭାଗକୁ ଶକ୍ତିଶାଳୀ କରନ୍ତୁ। ଆଗାମୀ ଦୁଇ ମାସ ମଧ୍ୟରେ ନୂତନ ବଜେଟ ପୂର୍ବରୁ ବିଭାଗଗୁଡ଼ିକ ଚଳିତ ବଜେଟ୍ର ଶତ ପ୍ରତିଶତ ଖର୍ଚ୍ଚ ଲକ୍ଷ୍ୟ ହାସଲ କରିବାକୁ ପ୍ରୟାସ କରନ୍ତୁ। ବିକଶିତ ଓଡ଼ିଶା ଭିଜନ ଡକୁମେଣ୍ଟ ୨୦୩୬ ପାଇଁ ୩ଲକ୍ଷ ୨୦ହଜାର ପ୍ରସ୍ତାବ ଆସିଛି। ଆମେ ସେଥିରୁ ଭଲ ଭଲ ପ୍ରସ୍ତାବଗୁଡ଼ିକୁ ଗ୍ରହଣ କରିପାରିବା। ଉତ୍କର୍ଷ ଓଡ଼ିଶା ଆୟୋଜନ ଏବଂ ଓଡ଼ିଶାରେ ପୁଞ୍ଜିନିବେଶ ପ୍ରତିଶ୍ରୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ବୈଠକରେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ସହ ଉନ୍ନୟନ କମିସନର, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଏବଂ ଅନ୍ୟ ସମସ୍ତ ବିଭାଗର ସଚିବ ମାନେ ଉପସ୍ଥିତ ଥିଲେ।
More Stories
ଭିଜିଲାନ୍ସ ଜାଲରେ ରେଂଜର……
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
କର୍ମଚାରୀ ବଦଳି ଓ ନିଯୁକ୍ତି ପାଇଁ ନୂଆ ନୀତି…..