Report Card Odisha

| Daily Odia News

ବୈଠକ ପରେ ନୂଆ ଟିମ ଘୋଷଣା କଲା CJP, ୧୨ ଜଣଙ୍କୁ ଦାୟିତ୍ୱ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କକରୋଚ ଜନତା ପାର୍ଟି (CJP)ର ଜାତୀୟ କାର୍ଯ୍ୟକାରିଣୀ ଗଠନ ହୋଇଛି। ଏଥିରେ ଅଭିଜିତ ଦୀପକେଙ୍କ ସମେତ ୧୨ ଜଣଙ୍କୁ ସ୍ଥାନ ମିଳିଛି। ଅଭିଜିତ ଦୀପକେଙ୍କ ଘରେ ଦୁଇ ଦିନ ଧରି ଚାଲିଥିବା ବୈଠକରେ କାର୍ଯ୍ୟକାରିଣୀ ଗଠନ କରାଯିବା ସହ ଏହାର ସଦସ୍ୟମାନଙ୍କ ନାମ ଏବଂ ସେମାନଙ୍କ ଦାୟିତ୍ୱ ଘୋଷଣା କରାଯାଇଛି। ବୈଠକ ଶେଷ ହେବା ପରେ ଏକ ଖବରଦାତା ସମ୍ମିଳନୀ ଡକାଯାଇ ଘୋଷଣା କରାଯାଇଥିଲା ଯେ, ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦଳର ଜାତୀୟ ସଂଯୋଜକ ଭାବେ ଦାୟିତ୍ୱ ତୁଲାଇବେ। ସେହିପରି, CJPର ମୁଖ୍ୟ ପ୍ରବକ୍ତା ସୌରଭ ଦାସ ଏବଂ ପ୍ରବକ୍ତା ଆଶୁତୋଷ ରାଙ୍କା ଦଳର ସଂଗଠନର ସହ-ସଂଯୋଜକ ଭାବେ ଦାୟିତ୍ୱ ତୁଲାଇବେ। କାର୍ଯ୍ୟକାରିଣୀ ଗଠନ ହେବା ପରେ ଅଭିଜିତ ଦୀପକେ ଘୋଷଣା କରିଛନ୍ତି ଯେ, କକରୋଚ ଜନତା ପାର୍ଟିକୁ ଏବେ ତୁରନ୍ତ ଏକ ରାଜନୈତିକ ଦଳରେ ପରିଣତ କରାଯିବ ନାହିଁ। ବରଂ ଏହି ମଞ୍ଚ ମାଧ୍ୟମରେ ତୃଣମୂଳ ସ୍ତରରେ କାମ କରାଯିବ। ଆସନ୍ତା ୬ ମାସ ମଧ୍ୟରେ ସମଗ୍ର ଭାରତରେ ଷ୍ଟେଟ କୋ-ଅର୍ଡିନେସନ କମିଟି ଗଠନ କରାଯିବ।ୱେବସାଇଟ ମାଧ୍ୟମରେ ସଦସ୍ୟତା ଅଭିଯାନ ଆରମ୍ଭ କରାଯିବ। ଛାତ୍ରୀଛାତ୍ର, ଯୁବପିଢ଼ି, ପ୍ରଫେସନାଲ ଏବଂ ଶ୍ରମିକମାନଙ୍କୁ ଏକଜୁଟ କରି ଦଳ ସହ ଯୋଡ଼ାଯିବ।ପାର୍ଟିର କର୍ମୀମାନେ କକରୋଚ ଜନତା ପାର୍ଟିକୁ ଏକ ରାଜନୈତିକ ଦଳ ଭାବେ ଦେଖିବାକୁ ଚାହୁଁଛନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଦଳ ତୃଣମୂଳ ସ୍ତରରେ ହିଁ କାମ କରିବ। ଜନମତ ସଂଗ୍ରହ କରିବା ପରେ ହିଁ ରାଜନୀତିରେ ପ୍ରବେଶ କରାଯିବ ବୋଲି ଅଭିଜିତ ଦୀପକେ କହିଛନ୍ତି।ସୂଚନାଯୋଗ୍ୟ- କକରୋଚ ଜନତା ପାର୍ଟି (CJP)ରେ ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କ ପରେ ଅଜିଙ୍କ୍ୟ ଶିନ୍ଦେ (୩୫)ଙ୍କୁ ଜାତୀୟ ସଂଗଠନ ପ୍ରଭାରୀ ଏବଂ ଦୀପକ ବାଲିୟାନ (୨୬)ଙ୍କୁ ସଂଗଠନର ସହ-ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି।ଅନ୍ୟ ପଦାଧିକାରୀମାନଙ୍କ ମଧ୍ୟରେ ଆଫରିନ ନୱାଜ (୩୪) ଜାତୀୟ ସଚିବ, ବିଜୟ ରେଡ୍ଡୀ ମଲ୍ଲାଙ୍ଗି (୩୦) ମିଡିଆ ପ୍ରମୁଖ, ରତ୍ନା ସିଂହ (୩୧) ଆଇନଗତ ମାମଲାର ପ୍ରମୁଖ, ବୈଷ୍ଣବୀ ଗୌଡ଼ (୨୯) ରିସର୍ଚ୍ଚ ଆଣ୍ଡ ପଲିସି ଚିଫ, ରୋହନ ଦେଶପାଣ୍ଡେ (୩୧) ଟେକ୍ନୋଲୋଜି ଚିଫ ଏବଂ ଯୋଗେଶ ଇଙ୍ଗଲେ (୩୩) ଫାଇନାନ୍ସ ଚିଫ ଭାବେ ଦାୟିତ୍ୱ ତୁଲାଇବେ।

Breaking News