Report Card Odisha

| Daily Odia News

ଦଶମ ବୋର୍ଡ ପରୀକ୍ଷାକୁନେଇ ନବୀନ ନିବାସ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ନେଇ ଦ୍ବନ୍ଦ୍ବକୁ ଦୂର କରିବା ପାଇଁ ଆଜି ନବୀନ ନିବାସ ଯାଇ ପ୍ରତିବାଦ କରିବା ସହିତ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ। ଜୁନ୍‌ ୧ରେ କୋଭିଡ ସ୍ଥିତି ସମୀକ୍ଷା ପରେ ପରୀକ୍ଷା ନେଇ ନିଷ୍ପତ୍ତି ନିଆଯିବ ବୋଲି ପୂର୍ବରୁ ସରକାର କହିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଜି ପୂର୍ବାହ୍ନରେ ଛାତ୍ରଛାତ୍ରୀମାନେ ନବୀନ ନିବାସ ଯିବା ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବାସଭବନକୁ ଯାଇ ଅଭିଯୋଗ ଜଣାଇଥିଲେ। ପରେ ସେଠାରୁ ସେମାନେ ନବୀନ ନିବାସ ଯାଇଥିଲେ। ପୋଲିସ ମାନଙ୍କୁ ଅଟକାଇବାରୁ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିଲେ। ଛାତ୍ରଛାତ୍ରୀମାନେ ଅଭିଯୋଗ କରିଥିଲେ ଯେ​‌, ସିବିଏସଇ ଦଶମ ପରୀକ୍ଷା ବାତିଲ କରିସାରିଛି। ରାଜ୍ୟ ସରକାର ବି ପରୀକ୍ଷା ବାତିଲ କରନ୍ତୁ। ସିବିଏସଇ ଢାଞ୍ଚାରେ ସରକାର ପୂର୍ବ ପରୀକ୍ଷା ନମ୍ବରକୁ ଆଧାର କରି ମୂଲ୍ୟାୟନ କରନ୍ତୁ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ନଚେତ ସରକାର ଯଦି ପରୀକ୍ଷା କରିବାକୁ ଚାହୁଁଛନ୍ତି ତେବେ ତୁରନ୍ତ ନିଷ୍ପତ୍ତି ନେଇ ଜଣାନ୍ତୁ। ପରୀକ୍ଷା ଅଫଲାଇନ କି ଅନ୍‌ଲାଇନରେ ହେବ ଶୀଘ୍ର ଜଣାନ୍ତୁ। ଜୁନ୍‌ ମାସ ପର୍ଯ୍ୟନ୍ତ ନିଷ୍ପତ୍ତି ଝୁଲାଇବା ଅନୁଚିତ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି। ପୋଲିସ ଅଧିକାରୀମାନେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଦୁଇ ଦିନ ଭିତରେ ନିଷ୍ପତ୍ତି ନିଆଯାଇ ଜଣାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଛାତ୍ରଛାତ୍ରୀମାନେ ଧାରଣାରୁ ଓହରିଥିଲେ। ପରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇ ଫେରିଥିଲେ।

Breaking News