Report Card Odisha

| Daily Odia News

୧୨ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ଟିକା ପରୀକ୍ଷଣ ଶେଷ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଔଷଧୀୟ କମ୍ପାନୀ ଜାଇଡସ କାଡିଲା ପକ୍ଷରୁ ୧୨ରୁ ୧୮ ବର୍ଷ ପୟସର ପିଲାଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଡିଏନଏ ଟିକାର କ୍ଲିନିକାଲ ପରୀକ୍ଷଣ ଶେଷ ହୋଇଛି । ଖୁବଶୀଘ୍ର ଏହା ପିଲାଙ୍କର ଟିକାକରଣ ପାଇଁ ଉପଲବ୍ଧ ହେବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି । କୋଭିଡ ପରିଚାଳନା କ୍ଷେତ୍ରରେ ଅଦାଲତ ତାଙ୍କ ନିଜ ପକ୍ଷରୁ ଦାଏର କରିଥିବା ଏକ ମାମଲାରେ କେନ୍ଦ୍ର ସରକାର ଏକ ସତ୍ୟପାଠ ଜରିଆରେ ନିଜ ପକ୍ଷ ରଖି କହିଛନ୍ତି କି ଜାଇଡସ କାଡିଲାର ଉକ୍ତ ଟିକାର କ୍ଲିନିକାଲ ପରୀକ୍ଷା ଶେଷ ହୋଇଛି | ବୈଧାନିକ ଅନୁମୋଦନକୁ ଅପେକ୍ଷା କରାଯାଇଛି । ତାହା ମିଳିବା ପରେ ଖୁବଶୀଘ୍ର ଦେଶରେ ୧୨ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ଟିକା ଯୋଗାଇ ଦିଆଯିବ । ଦେଶରେ ଟିକା ଅଭାବ ପରିସ୍ଥିତି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଏହା ମଧ୍ୟ ଜଣାଇଛନ୍ତି ଯେ ଚଳିତ ବର୍ଷ ଶେଷସୁଦ୍ଧା ମୋଟ ୧୩୫ କୋଟି ପାନ ଟିକା ଉପଲବ୍ଧ ହେବ । ୨୦୨୧ ଅଗଷ୍ଟରୁ ୨୦୨୧ ଡିସେମ୍ବର ମଧ୍ୟରେ ଦେଶରେ କୋଭିଶିଲ୍ଡ ଟିକା ୫୦ କୋଟି, କୋଭାକ୍ସିନ ୪୦ କୋଟି, ବାୟୋ ଇ ସବ୍‍ ୟୁନିଟ ଟିକା ୩୦ କୋଟି ଏବଂ ଜାଇଡସ କାଡିଲା ଡିଏନଏ ଟିକା ୫ କୋଟି ଉପଲବ୍ଧ ହେବ । ତାହାସହିତ ସ୍ପୁଟନିକ ଭି ଟିକା ମଧ୍ୟ ୧୦ କୋଟି ପାନ ମିଳିବ । ଜୁନ୍‍ ୨୫ ସୁଦ୍ଧା ଦେଶରେ ୩୧ କୋଟି ପାନରୁ ଅଧିକ ଟିକାକରଣ କରାଯାଇସାରିଛି । ସେଥିମଧ୍ୟରୁ ୧.୭୩ କୋଟି ପାନରୁ ଅଧିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଥିବା କର୍ମଚାରୀଙ୍କୁ ଦିଆଯାଇଛି । ସେହିଭଳି ୨.୬୬ କୋଟି ପାନ ସମ୍ମୁଖଭାଗ କର୍ମଚାରୀ, ୯.୯୩ କୋଟିରୁ ଅଧିକ ପାନ ୪୫ରୁ ୫୯ ବର୍ଷ ବୟସ୍କ ଏବଂ ୮.୯୬ କୋଟି ପାନରୁ ଅଧିକ ଟିକା ୬୦ ବର୍ଷରୁ ଅଧିକ ବୟସର ନାଗରିକଙ୍କୁ ଦିଆଯାଇଛି । ଏହାବ୍ୟତୀତ ୭.୮୪ କୋଟି ପାନ ଟିକା ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯାଇଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Breaking News