Report Card Odisha

| Daily Odia News

ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର କୃଷକ ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ୩୩% ବା ତାଠାରୁ ଅଧିକ ଫସଲ କ୍ଷତି ସହିଥିବା ଛୋଟ ଓ ନାମମାତ୍ର ଚାଷୀଙ୍କ ପାଇଁ ଇନପୁଟ ସହାୟତା ଘୋଷଣା କରିଥିବା ବେଳେ ୩୩% ବା ଅଧିକ କ୍ଷତି ସହିଥିବା ଛୋଟ ଓ ନାମମାତ୍ର ଚାଷୀଙ୍କ ସ୍ଵଳ୍ପ ମିଆଦୀଋଣ ମଧ୍ୟମ ମିଆଦୀ ଋଣକୁ ପରିବର୍ତ୍ତନ କରିଛନ୍ତି। କୃଷି ଯାନ୍ତ୍ରିକୀକରଣ ପାଇଁ ୨୦ କୋଟି ଟଙ୍କାର ରିହାତି ସହାୟତା ଘୋଷଣା କରିଛନ୍ତି।

୧ – ବାତ୍ୟାରେ ଦୁଧିଆଳୀ ଗାଈ, ମଇଁଷି, ଛେଳି, ମେଣ୍ଢା ଓ କୁକୁଡା ହରାଇଥିବା ଚାଷୀ ମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯିବ। ଦୁଧିଆଳୀ ଗାଈ ଓ ମଇଁଷି ପାଇଁ ୩୦,୦୦୦ ଟଙ୍କା ସହାୟତା ଘୋଷଣା କରାଯାଇଥିବା ବେଳେ, ଖୀର ଦେଉ ନଥିବା ପ୍ରାଣୀ ମାନଙ୍କ ପାଇଁ ୨୫,୦୦୦ ଟଙ୍କା ସହାୟତା (ସର୍ବାଧିକ ୩ଟି ପାଇଁ) ଦିଆଯିବ । ସେହିପରି ସର୍ବାଧିକ ୬ଟି ବାଛୁରୀ ପାଇଁ – ପ୍ରତି ବାଛୁରୀ ପାଇଁ ୧୬,୦୦୦ ଟଙ୍କା, ୩୦ଟି ଛେଳି ଓ ମେଣ୍ଢା ପର୍ଯ୍ୟନ୍ତ ୩୦୦୦ ଟଙ୍କା ଏବଂ ପ୍ରତି କୁକୁଡା ପିଚ୍ଛା ୫୦ ଟଙ୍କା ଲେଖାଏ, ସର୍ବାଧିକ ୫୦୦୦ ଟଙ୍କା ଲେଖାଏ ପ୍ରତି କ୍ଷତିଗ୍ରସ୍ତ ଚାଷୀଙ୍କୁ ଦିଆଯିବ।

୨ – ବାତ୍ୟାରେ ଭାଙ୍ଗି ଯାଇଥିବା ଗୁହାଳର ପୁନନିର୍ମାଣ ପାଇଁ ୨୧୦୦ ଟଙ୍କା ସହାୟତା ଦିଆଯିବ।

୩ – ବାତ୍ୟାରେ କ୍ଷତିଗ୍ରସ୍ତ ମତ୍ସ୍ୟ ଚାଷୀଙ୍କୁ ସେମାନଙ୍କର ଆଂଶିକ ଭାବରେ ଭାଙ୍ଗିଥିବା ଡଙ୍ଗାର ମରାମତି ପାଇଁ ୪୧୦୦ ଟଙ୍କା ଲେଖାଏ, ଆଂଶିକ ଭାବରେ କ୍ଷତିଗ୍ରସ୍ତ ମାଛଧରା ଜାଲ ମରାମତି ପାଇଁ ୨୧୦୦ ଟଙ୍କା ଲେଖାଏ, ପୁରା ଭାଙ୍ଗିଯାଇଥିବା ଡଙ୍ଗା ନିର୍ମାଣ ପାଇଁ ୯୬୦୦ ଟଙ୍କା ଲେଖାଏ ଏବଂ ପୁରା ନଷ୍ଟ ହୋଇଯାଇଥିବା ମାଛଧରା ଜାଲ କ୍ଷେତ୍ରରେ ୨୬୦୦ ଟଙ୍କା ସହାୟତା ପ୍ରଦାନ କରାଯିବ।

୪ – ବାତ୍ୟାରେ ପଟୁ ମାଟି ମାଡି ଯାଇଥିବା ମାଛ ଚାଷ ଫାର୍ମ ବା ମାଛ ବିହନ ଫାର୍ମର ପୁନରୁଦ୍ଧାର ପାଇଁ ହେକ୍ଟର ପିଚ୍ଛା ୧୨,୨୦୦ ଟଙ୍କା ଏବଂ କ୍ଷତିଗ୍ରସ୍ତ ମାଛ ବିହନ ଫାର୍ମ ପାଇଁ ହେକ୍ଟର ପିଚ୍ଛା ୮୨୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ଭାବରେ ଯୋଗାଇ ଦିଆଯିବ।

୫ – ବାତ୍ୟାରେ ମଧ୍ୟ ଅନେକ ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗର କ୍ଷତିଗ୍ରସ୍ତ ହୋଇଛନ୍ତି । ତେଣୁ କ୍ଷତିଗ୍ରସ୍ତ କାରିଗର ମାନଙ୍କୁ ସେମାନଙ୍କର ଉପକରଣ ପାଇଁ ୪୧୦୦ ଟଙ୍କା ଲେଖାଏ ଏବଂ ନଷ୍ଟ ହୋଇଥିବା କଂଚା ମାଲ ତଥା ତିଆରି ହୋଇଥିବା ଜିନିଷ ପାଇଁ ପ୍ରତି କାରିଗରଙ୍କୁ ୪୧୦୦ ଟଙ୍କା ଲେଖାଏ ପ୍ରଦାନ କରାଯିବ।

୬ – ଏରି, ମଲବେରୀ ଓ ଟସର ଚାଷୀ ମାନଙ୍କ ପାଇଁ ଇନ୍‌ପୁଟ ସବ୍‌ସିଡି ଭାବରେ ହେକ୍ଟର ପିଚ୍ଛା ୪୮୦୦ ଟଙ୍କା ଏବଂ ମୁଗା ଚାଷୀଙ୍କ ପାଇଁ ହେକ୍ଟର ପିଚ୍ଛା ୬୦୦୦ ଟଙ୍କା ଲେଖାଏ ସହାୟତା ଦିଆଯିବ।

୭ – କ୍ଷତିଗ୍ରସ୍ତ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ MGNREGS ଯୋଜନାରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ଏଥିରେ ଗ୍ରାମ ପଂଚାୟତ ରାସ୍ତା, ଖେଳ ପଡିଆ, କେନାଲ, ମାଟି ବନ୍ଧ ଆଦିର ମରାମତି ଓ ରକ୍ଷଣା ବେକ୍ଷଣ ସହିତ ଗାଈ ଗୁହାଳ, ଛେଳି ଗୁହାଳ ଓ ଗୋଖାଦ୍ୟ ଚାଷ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ। ଯୋଗ୍ୟ ହିତାଧିକାରୀଙ୍କୁ SDRF/NDRF ନିୟମ ଅନୁଯାୟୀ ଗୃହ ନିର୍ମାଣ ଓ ଅନ୍ୟ ସହାୟତା ପ୍ରଦାନ କରାଯିବ।

Breaking News