ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମରେ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି। ୩୪ଟି ସାଇବର ସୁରକ୍ଷା ରଥ ଆଜିଠାରୁ ସାରା ରାଜ୍ୟର ବିଭିନ୍ନ ସ୍କୁଲ, କଲେଜ ଓ ପଞ୍ଚାୟତ ଆଦି ଭ୍ରମଣ କରି ସାଇବର ସୁରକ୍ଷା ସଂପର୍କରେ ସଚେତନାର ବାର୍ତ୍ତା ପ୍ରଦାନ କରିବ। ସୂଚନାଯୋଗ୍ୟ ଯେ ଗତ କିଛି ବର୍ଷ ମଧ୍ୟରେ ସାରା ଦେଶ ଓ ରାଜ୍ୟରେ ସାଇବର ଅପରାଧର ମାତ୍ରା ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି। ସଚେତନତା ଓ ସତର୍କତା ଏହାକୁ ରୋକିବାର ଏକ ପ୍ରମୁଖ ଉପାୟ। ତେଣୁ ସାରା ରାଜ୍ୟରେ ସବୁ ସ୍ତରରେ ଏ ସଂପର୍କରେ ସଚେତନତା ଆଣିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ସତର୍କ ଓ ସୁରକ୍ଷିତ ରହିବାକୁ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଡିଜିପି ସୁନିଲ କୁମାର ବଂଶଲ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅଭିଯାନରେ ଜିଲଶ ପ୍ରଶାସନ ତରଫରୁ ସାଇବର ସୁରକ୍ଷା ରଥକୁ ସ୍ବାଗତ କରାଯିବ। ପ୍ରତିଦିନ ଅତି କମରେ ଦୁଇଟି ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ଏହାସହ ବ୍ଲକ୍ ଓ ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ବିଭିନ୍ନ ଜନଗହଳି ସ୍ଥାନଗୁଡିକରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସ୍କୁଲ ଓ କଲେଜ ଗୁଡିକରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା କରାଯିବ। ଅକ୍ଟୋବର ୮ ତାରିଖ ସକାଳେ ବିଭିନ୍ନ ସହରାଞ୍ଚଳରେ ମିନି ମାରାଥନ ଆୟୋଜନ କରାଯିବ। ୧୪ ତାରିଖ ଦିନ ବରିଷ୍ଠ ନାଗରିକ ମାନଙ୍କୁ ସଚେତନ କରିବାକୁ ଇଭିନିଂ ୱାକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ୧୫ ତାରିଖ ରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କ ସହିତ ପଦ୍ମ ପୁରସ୍କାରପ୍ରାପ୍ତ ବିଶିଷ୍ଟ ବ୍ୟକ୍ତିଗଣ, ସ୍ବାଧୀନତା ସଂଗ୍ରାମୀ ମାନେ ଉପସ୍ଥିତ ରହିବେ। ଏହି ଅଭିଯାନରେ ପଞ୍ଚାୟତ ପ୍ରତିନିଧି, ମିଶନ ଶକ୍ତି ସଦସ୍ୟ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପଞ୍ଚାୟିତରାଜ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିବେ।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….