Report Card Odisha

| Daily Odia News

ମା’ମାନଙ୍କ ପାଇଁ ବସ୍‌ରେ ଟିକେଟର ମୂଲ୍ୟ ମାତ୍ର ୫୦ ପ୍ରତିଶତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏହି ବସଗୁଡିକ ଜିଲ୍ଲା ସଦର ମହକୁମାରୁ ଭୁବନେଶ୍ୱର ଦେଇ ଶ୍ରୀକ୍ଷେତ୍ର ପୁରୀକୁ ଚାଲିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମା’ମାନଙ୍କ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ରେ ଟିକେଟର ମୂଲ୍ୟ ମାତ୍ର ୫୦ ପ୍ରତିଶତ ରହିବ। ସେ କହିଥିଲେ ଯେ ଲକ୍ଷ୍ମୀ ବସ୍‌ ଯୋଜନାରେ ମା’ମାନଙ୍କ ପାଇଁ ଟିକେଟ ଦାମ୍‌ ମାତ୍ର ୫ ଟଙ୍କା ରହିଛି। ଏହା ମା’ମାନଙ୍କ ପାଇଁ ବହୁ ସୁବିଧା ଆଣିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ୫-ଟି ଉପକ୍ରମରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ୍‌ସେବା ଯୋଜନା ଅଧିନରେ ଏହି ବସ୍‌ ସେବା ଆରମ୍ଭ ହୋଇଛି। ରାଜ୍ୟର ୩୦ଟି ଜିଲାରୁ ୮୦ଟି ସୁପର ପ୍ରିମିୟମ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ଏହି ଯୋଜନାରେ ଚଳାଚଳ କରିବ। ଆଜି ପ୍ରଥମ ପର୍ଯ୍ୟାୟରେ ୧୨ ଜିଲାରୁ ଏହି ସେବା ଆରମ୍ଭ ହେଲା। ଏହି ଜିଲା ଗୁଡିକ ହେଲା-ବଲାଙ୍ଗିର, ବରଗଡ, ଗଞ୍ଜାମ, ଝାରସୁଗୁଡା, କୋରାପୁଟ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟବାସୀଙ୍କୁ ପୁରୀଧାମ ଆସି ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଲାଭ କରିବା ପାଇଁ ଆମର ଏହି ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ସେବା ଆରମ୍ଭ ହୋଇଛି। ଆପଣମାନେ ସମସ୍ତେ ଏହାର ସୁଯୋଗ ନିଅନ୍ତୁ ଓ ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରନ୍ତୁ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ ମହାପ୍ରଭୁଙ୍କ ଇଚ୍ଛାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଗତକାଲି ଲୋକାର୍ପଣ ହୋଇଛି। ଏହି ପ୍ରକଳ୍ପ ଦ୍ୱାରା ମନ୍ଦିରର ଆହୁରି ଶୋଭା ବର୍ଦ୍ଧନ ହେବା ସହିତା ପରିବେଶକୁ ଆହୁରି ଭକ୍ତିମୟ କରିଛି। ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ପାଇଁ ସୁବିଧା ଦର୍ଶନର ବ୍ୟବସ୍ଥା କରାଯାଇଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆପଣମାନଙ୍କ ପାଇଁ ଆରାମଦାୟକ ବସ୍‌ସେବା ଆରମ୍ଭ ହେଲା। ଆପଣମାନେ ସୁବିଧାରେ ପୁରୀ ଆସି ମହାପ୍ରଭୁଙ୍କ କୃପା ଲାଭ କରିବେ ବୋଲି ମୋର ବିଶ୍ୱାସ ବୋଲି ସେ କହିଥିଲେ। ଏଥି ସହିତ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଏବେ ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଓ ପ୍ରସାର ପାଇଁ ପଦକ୍ଷେପ ନିଆଯାଉଛି। ଆମର ଲୋକପ୍ରିୟ ଲକ୍ଷ୍ମୀ ବସ ଯୋଜନାରେ ଆମେ ପଞ୍ଚାୟତକୁ ବ୍ଲକ ସଦର ମହକୁମା ସହିତ ଯୋଡ଼ିଛୁ। ଯୋଗାଯୋଗ କ୍ଷେତ୍ରରେ ଲକ୍ଷ୍ମୀ ବସ ଏବେ ରୂପାନ୍ତର ଆଣିଛି। ଜିଲା ସଦରମହକୁମାରୁ ଶ୍ରୀକ୍ଷେତ୍ରକୁ ସିଧା ସଳଖ ବସ୍‌ ବ୍ୟବସ୍ଥା ଦ୍ୱାରା ରାଜ୍ୟର ଗମନାଗମନ ଓ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ ହେବ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ, ଭକ୍ତ ଓ ଜଗନ୍ନାଥପ୍ରେମୀଙ୍କୁ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଲାଭକରିବାର ସୌଭାଗ୍ୟ ଅର୍ଜନ କରିବାରେ ଏହି ବସ୍‌ସେବା ସହାୟତା ପ୍ରଦାନ କରିବ। ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ସହଯୋଗରେ ଓଡିଶା ବିକାଶର ଶିଖରରେ ପହଞ୍ଚିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Breaking News