Report Card Odisha

| Daily Odia News

ବିଧାୟକଙ୍କ ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ ….

ରିପୋର୍ଟ କାର୍ଡ / ଭୁବନେଶ୍ବର

ବାତ୍ୟା ‘ଦାନା’ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ସମସ୍ତ ବିଧାୟକଙ୍କ ସହଯୋଗ ଲୋଡ଼ିଛନ୍ତି। ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ଭାବେ ପ୍ରସ୍ତୁତି କରିବା ସହ ‘ଜିରୋ କାଜୁଆଲିଟି’ ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରଶାସନିକ ସ୍ତରରେ ଆଗୁଆ ପଦକ୍ଷେପ ନିଆଯାଉ ଥିବାବେଳେ ବିଧାୟକ ନିଜ ଅଞ୍ଚଳବାସୀଙ୍କ ସହ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜ ସାମାଜିକ ଗଣମାଧ୍ୟମରେ ସମସ୍ତ ବିଧାୟକଙ୍କ ସହଯୋଗ କାମନା କରି ଲେଖିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବୃଷ୍ଟିପାତ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ସହ ସମନ୍ୱିତ ଭାବେ ବାତ୍ୟା ମୁକାବିଲା କରିବା ଦରକାର। ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ବିଧାୟକ ନିଜ ଅଞ୍ଚଳବାସୀଙ୍କ ସହିତ ରହି ସେମାନଙ୍କୁ ଆବଶ୍ୟକ ସହାୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ସାମଗ୍ରୀ ମହଜୁଦ ରହିଛି। ବାତ୍ୟା ‘ଦାନା’ର ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବା ପାଇଁ ସରକାର ପ୍ରସ୍ତୁତ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି। ଅଯଥା ଭୟଭୀତ ନହେବା ପାଇଁ ସେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ମହଜୁଦକାରୀଙ୍କ ଖାଦ୍ୟ ଗଚ୍ଛିତ ନରଖିବା ପାଇଁ ନିର୍ଦେଶ ଦିଆଯାଇଛି। ମଙ୍ଗଳବାର କିଛି ଜାଗାରେ ଚଢ଼ଉ ହୋଇଛି। କଟକର ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ବାତ୍ୟା ମୁକାବିଲା ଓ ପରବର୍ତ୍ତୀ ପୁନରୁଦ୍ଧାର ପାଇଁ ପ୍ରସ୍ତୁତ ରହିଥିବା ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି। ‘ଦାନା’ର ମୁକାବିଲା ପାଇଁ ନଗର ଉନ୍ନୟନ ବିଭାଗ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି। ନିଜର ବିଭାଗୀୟ ୧୧ଜଣ ବରିଷ୍ଠ ଅଧିକାରୀଙ୍କୁ ଜିଲା ଦାୟିତ୍ୱ ଦେବା ସହ ସବୁ ମହାନଗର ନିଗମ ଓ ପୌରାଞ୍ଚଳ ନିମନ୍ତେ ମାର୍ଗଦର୍ଶିକା (ଏସଓପି) ଜାରି କରାଯାଇଛି। ଶକ୍ତି ସଚିବ ହେମନ୍ତ ଶର୍ମା ବାତ୍ୟା ମୁକାବିଲା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା କରି କହିଛନ୍ତି, ଅଧିକ ବର୍ଷା ପବନ ହେଲେ ବିଦ୍ୟୁତ୍‌ କାଟ କରାଯିବ। ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ବିଦ୍ୟୁତ୍‌ ଖୁଣ୍ଟ ମରାମତି କରି ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ପାଇଁ ବିଭାଗ ସଜାଗ ରହିଛି। ଏଥିପାଇଁ ୧୦ ହଜାର କର୍ମଚାରୀ ରହିଥିବା ବେଳେ ୮ ହଜାର ଖୁଣ୍ଟ ଏବଂ ୫ ହଜାର ଟ୍ରାନ୍ସଫର୍ମର ରଖାଯାଇଛି। ପାଣିପାଗ ବିଭାଗ ଓ ସରକାରଙ୍କ ପରାମର୍ଶ ମାନି ଯାତାୟାତ କରିବାକୁ ପରାମର୍ଶ ଦିଆଯାଇଛି। ବାତ୍ୟା ଦିନ କେହି ଘର ପଦାକୁ ନ ବାହାରିବାକୁ କୁହାଯାଇଛି। ସେହିପରି ଜରୁରୀକାଳୀନ କିଟ୍‌ ଯଥା ଟର୍ଚ୍ଚ, ଫାଷ୍ଟଏଡ୍‌ ବକ୍ସ, ପାଣି ବୋତଲ, ଖାଦ୍ୟ ଆଦି ରଖିବାକୁ ପରାମର୍ଶ ଦିଆଯାଇଛି। ଗଛ, ବିଦ୍ୟୁତ୍‌ ଖୁଣ୍ଟି, ଭଙ୍ଗାଘର ନିକଟରେ ଗାଡ଼ି ନରଖିବା କୁହାଯାଇଛି।

Breaking News