ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉମେଶ ପାଲ୍ଙ୍କୁ ହତ୍ୟା କରାଯିବାକୁ ନେଇ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କୁ ଦାୟୀ କରି ବିଧାନସଭାରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସୂଚନା ମୁତାବକ,ଉମେଶ ପାଲ୍ଙ୍କୁ ହତ୍ୟା କରାଯିବା ପରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଆଜି ବିଧାନସଭାରେ ଯୋଗୀ ସରକାରଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ ଓ କହିଥିଲେ, ସରକାର ସଂପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି। ଏହାକୁ କ’ଣ ରାମ ରାଜ୍ୟ କହିହେବ, ଯେଉଁଠି ଖୁଲମଖୁଲା ଗୁଳି ଚାଳନା ହେଉଛି। ଏଥିପାଇଁ ବିଜେପି ଦାୟୀ। ଏହାର ଜବାବରେ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ, ଉମେଶ ପାଲଙ୍କୁ ଯିଏ ହତ୍ୟା କରିଛି, ତାକୁ ଆମେ ଛାଡ଼ିବୁ ନାହିଁ। ସବୁ ମାଫିଆଙ୍କୁ ମାଟିରେ ମିଶାଇ ଦେବୁ। ହେଲେ ଯେଉଁ ସମାଜବାଦୀ ପାର୍ଟି ଆଜି ଆମ ଉପରକୁ ଆଙ୍ଗୁଳି ଉଠାଉଛି ସେହି ଦଳ ଅପରାଧୀଙ୍କୁ ସୁରକ୍ଷା ଦିଏ, ସେମାନଙ୍କ ବେକରେ ଫୁଲମାଳ ପକାଇ ସେମାନଙ୍କୁ କ୍ଷମତା ଦିଏ ଏବଂ ପରେ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ନେଇ ପ୍ରଶ୍ନ କରେ। ଶୂନ୍ୟ-ସହନଶୀଳତା ନୀତି ଆଧାରରେ ସରକାର ବିଏସ୍ପି ବିଧାୟକ ରାଜୁ ପାଲ୍ ହତ୍ୟା ଘଟଣାର ତଦନ୍ତ କରାଉଛନ୍ତି। କିନ୍ତୁ ଏହି ଘଟଣାରେ ଜଡିତ ଥିବା ଅପରାଧୀ ତଥା ପୂର୍ବତନ ସାଂସଦ ଅତୀକ ଅହମଦ ସାମାଜବାଦୀ ପାର୍ଟି ସହ ଜଡିତ ନଥିଲେ କି | ତାଙ୍କୁ ସାମାଜବାଦୀ ପାର୍ଟି ସମର୍ଥନ କରିନଥିଲା କି | ଆମେ ଏହି ମାଫିଆଙ୍କୁ ଛାଡିବୁ ନାହିଁ । ଉଲ୍ଲେଖଯୋଗ୍ୟ, ୨୦୦୫ରେ ଅତୀକ ଅହମଦଙ୍କ ସାନ ଭାଇ ଖାଲିଦ ଅଜିମଙ୍କୁ ହରାଇ ଆହ୍ଲାବାଦ ବିଧାନସଭା ଆସନ ଜିତିଥିଲେ ରାଜୁ ପାଲ୍। ଜିତିବାର କିଛି ମାସ ପରେ ତାଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟା ଘଟଣାରେ ଅତୀକ ଓ ପୂର୍ବତନ ବିଧାୟକ ଅସରଫଙ୍କୁ ଗିରଫ କରାଯାଇଥିଲା। ଏବେ ଦୁହେଁ ଜେଲରେ ଥିବା ବେଳେ ଅତୀକଙ୍କୁ ନେଇ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ବିଏସ୍ପି ବିଧାୟକ ରାଜୁ ପାଲ୍ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲ୍ଙ୍କୁ ଗୁଳି ମାରି ହତ୍ୟା କରାଯିବା ପରେ ଏଭଳି କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..