ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଜାରିରହିଥିବା ବେଳେ ଆଜି ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି)ର ସାଧାରଣ ସଂପାଦକ କେ.ସି. ବେଣୁଗୋପାଳ ରାଜ୍ୟର ଲୋକସଭା ଓ ବିଧାନସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଶ୍ରୀ ବେଣୁଗୋପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକରେ ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ, ଏଆଇସିସିର ଓଡିଶା ପ୍ରଭାରୀ ଅଜୟ କୁମାର, ୩ଜଣ ବରିଷ୍ଠ ପର୍ଯ୍ୟବେକ୍ଷକ ମିନାକ୍ଷୀ ନଟରାଜନ, ହରକ ସିଂହ ରାୱତ ଓ ପରଗତ ସିଂହ, ଦୁଇଜଣ ସଚିବ ଖ୍ରୀଷ୍ଟଫର ତିଲକ ଓ ମହମ୍ମଦ ସାହାନୱାଜ ଚୌଧୁରୀ ଉପସ୍ଥିତ ଥିଲେ। ଏଆଇସିସି ମୁଖ୍ୟାଳୟରେ ହୋଇଥିବା ସମୀକ୍ଷା ବୈଠକରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା, ନିର୍ବାଚନ ପ୍ରଚାର, ସଂଗଠନ କାର୍ଯ୍ୟକ୍ରମ ତଥା ଦଳୀୟ ସ୍ଥିତି ସଂପର୍କରେ ନେତାମାନେ ଶ୍ରୀ ବେଣୁଗୋପାଳଙ୍କୁ ଅବଗତ କରାଇଥିଲେ। ଉଭୟ ଲୋକସଭା ଓ ବିଧାନସଭାରେ ନିର୍ବାଚନ ଲଢ଼ିବା ପାଇଁ ‘ପ୍ରଗମନ’ ଆପରେ ଆବେଦନ କରିଥିବା ପ୍ରାର୍ଥୀ ଓ ଦୁଇଟି ସ୍କ୍ରିନଂ କମିଟି ବୈଠକର ହୋଇଥିବା ଆଲୋଚନା ସଂପର୍କରେ ସୂଚନା ଦେଇଥିଲେ। ହୋଲି ପରେ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ କରିବା ପାଇଁ ପୁଣିଥରେ ସ୍କ୍ରିନିଂ କମିଟି ବୈଠକ। ଲୋକସଭାର ୨୧ଟି ଓ ବିଧାନସଭାର ୧୪୭ ଆସନରେ ପ୍ରାର୍ଥୀ ଚୟନ ପରିପେକ୍ଷୀରେ ସର୍ଭେ ରିପୋର୍ଟ ପ୍ରସଙ୍ଗକୁ ମଧ୍ୟ ନେତାମାନେ ଶ୍ରୀ ବେଣୁଗୋପଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଓଡିଶାରେ ଲୋକସଭା ଓ ବିଧାନସଭା ପ୍ରଚାର କାର୍ଯ୍ୟକ୍ରମର ରୂପରେଖ କ’ଣ ରହିବ, କେଉଁ କେନ୍ଦ୍ରୀୟ ନେତାମାନେ ଓଡ଼ିଶାକୁ ନିର୍ବାଚନ ପ୍ରଚାର ପାଇଁ ଯିବେ, ତାରକା ପ୍ରଚାର ତାଲିକାରେ କାହାକୁ ସାମିଲ କରାଯିବ ଭଳି ପ୍ରସଙ୍ଗରେ ମଧ୍ୟ ବୈଠକରେ ମାନସ ମନ୍ଥନ ହୋଇଥିଲା। ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେ, କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ, ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ, କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଅନ୍ୟ ଚର୍ଚ୍ଚିତ ନେତାଙ୍କୁ ଓଡିଶାକୁ ନିର୍ବାଚନ ପ୍ରଚାର ସମୟରେ ଗସ୍ତ ପାଇଁ ରାଜ୍ୟର ନେତୃବୃନ୍ଦ ପ୍ରସ୍ତାବ ଦେଇଥିଲେ।






More Stories
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..
ଆଜି ରାଷ୍ଟ୍ରପତିଙ୍କର ଓଡିଶା ଗସ୍ତର ଦ୍ଵିତୀୟ ଦିନ:ବିରଜା ମନ୍ଦିର ପରିଦର୍ଶନ…..
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..