ରିପୋର୍ଟ କାର୍ଡ / ମୁମ୍ବାଇ
ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅନେକ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ଏହାକୁ ନଜରରେ ରଖି ମହାରାଷ୍ଟ୍ର ସରକାର କଟକଣାକୁ କଡାକଡି କରିଛନ୍ତି । କେତେକ ସ୍ଥାନରେ ଲକଡାଉନ୍ ଓ ନାଉଟ୍ କର୍ଫ୍ୟୁ ଲଗାଇଛନ୍ତି । ଗତ ଫେବ୍ରୁଆରୀ ୧୧ ତାରିଖରେ ମହାରାଷ୍ଟ୍ରରେ ମାତ୍ର ୬୫୨ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏବେ କିନ୍ତୁ ଗୋଟିଏ ଦିନରେ ୧୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏଥିପାଇଁ ଲୋକଙ୍କୁ ଦାୟୀ କରାଯାଉଛି । ଲୋକେ ଆଉ ସଚେତନ ହେଉନାହାଁନ୍ତି । ଗାଇଡଲାଇନର ଉଲ୍ଲଙ୍ଘନ କରୁଥିବା ଦେଖିବାକୁ ମିଳିଛି । ଏହାମଧ୍ୟରେ ରାଜ୍ୟ ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଏହାକୁ ମାର୍ଚ୍ଚ ୩୧ ଯାଏଁ ଲାଗୁ କରାଯିବ । ଗାଇଡଲାଇନ୍ ଅନୁସାରେ, ରାଜ୍ୟର ସମସ୍ତ ଅଫିସ, ମଲ, ହଲ, ହୋଟେଲ ଓ ରେଷ୍ଟୁରାଣ୍ଟର କ୍ଷମତା ୫୦ ପ୍ରତିଶତକୁ ହ୍ରାସ କରାଯାଇଛି । ଯାହା ଆଗରୁ ୧୦୦ ପ୍ରତିଶତ ଥିଲା । ସାମାଜିକ, ସାଂସ୍କୃତିକ, ଧାର୍ମିକ ଓ ରାଜନୈତିକ କାର୍ଯ୍ୟକ୍ରମ ଉପରେ ରୋକ୍ ଲାଗିଛି । ବିବାହରେ ୫୦ରୁ ଅଧିକ ଓ ଅନ୍ତିମ ସଂସ୍କାରରେ ୨୦ ଜଣରୁ ଅଧିକ ଲୋକଙ୍କୁ ଅନୁମତି ମିଳିବ ନାହିଁ । ଏହାସହ କରୋନା ଆକ୍ରାନ୍ତଙ୍କ ହାତରେ ଷ୍ଟାମ୍ପ ଲାଗିବା ନେଇ ନିଷ୍ପତ୍ତି ନିଆଯାଇଛି । ଏତତ୍ ବ୍ୟତୀତ, କର୍ମଚାରୀଙ୍କୁ ଘରେ ବସି କାମ କରିବାକୁ କୁହାଯାଇଛି । ନିୟମ ନମାନିଲେ ଅଫିସ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏହାସହ ମନ୍ଦିରରେ ମଧ୍ୟ ସାମାଜିକ ଦୂରତା ଓ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି ।
More Stories
କୁଖ୍ୟାତ ଅପରାଧୀଙ୍କୁ ତଡିପାର କରାଯିବ…..
ଆୟୁଷ୍ମାନ ଭାରତକୁ ନେଇ ବଡ଼ ଘୋଷଣା….
ଗୋପାଳପୁର ବନ୍ଦ ଗଲା ଆଦାନୀ ଗ୍ରୁପକୁ…..