ରିପୋର୍ଟ କାର୍ଡ / ବ୍ରହ୍ମପୁର
ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ କରୋନା ତଥା କୋଭିଡ-୧୯ ସଂକ୍ରମଣ ବଢ଼ିବା ସହ କିଛି ଆଶଙ୍କାଜନକ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସୀମାନ୍ତ ଗଞ୍ଜାମ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗ ସଜାଗ ହୋଇଛି। ଦୁଇ ରାଜ୍ୟ ମଧ୍ୟରେ ଯାତାୟାତ ଅଧିକ ରହୁଥିବାରୁ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମଓ) ଜିଲ୍ଲାର ସମସ୍ତ ଡାକ୍ତରଖାନାକୁ ହାଇଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ କୋଭିଡ୍ ପରୀକ୍ଷା ଉପରେ ଜୋର୍ ଦିଆଯାଇଛି।ଡାକ୍ତରଖାନାକୁ ଆସୁଥିବା ସମସ୍ତ ଗୁରୁତର ଶ୍ୱାସକ୍ରିୟା ଜନିତ ରୋଗୀଙ୍କ କୋଭିଡ୍ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ଏହା ସହିତ ଥଣ୍ଡା, ଜ୍ୱର ଓ କାଶ ଲକ୍ଷଣ ଥିବା ଅତିକମରେ ଶତକଡ଼ା ୫ ଭାଗ ରୋଗୀଙ୍କର ନିୟମିତ ବ୍ୟବଧାନରେ କରୀକ୍ଷା କରିବାକୁ କୁହାଯାଇଛି।ସମସ୍ତ ଚିକିତ୍ସାଳୟରେ ଆଇସୋଲେସନ ୱାର୍ଡ, ଅକ୍ସିଜେନ ସପୋର୍ଟ ବେଡ୍ ଏବଂ ଆବଶ୍ୟକୀୟ ଔଷଧ ମହଜୁଦ୍ ରଖିବାକୁ କୁହାଯାଇଛି । ଡାକ୍ତରଖାନାରେ ଥିବା ପିଏସଏ ଅକ୍ସିଜେନ ପ୍ଲାଣ୍ଟ, ସିଲିଣ୍ଡର ଏବଂ କନସେନଟ୍ରେଟରଗୁଡ଼ିକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଅତ୍ୟାବଶ୍ୟକ ଔଷଧ ଓ ଟିଟାନସ୍ ଇଞ୍ଜେକ୍ସନ, ଓଆରଏସ, ପାରାସିଟାମଲ୍, ଜିଙ୍କ୍, ଭିଟାମିନ-ଏ ଭଳି ଅତ୍ୟାବଶ୍ୟକ ଔଷଧ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ୍ ରଖିବାକୁ କୁହାଯାଇଛି । ଆଶା ଏବଂ ଏଏନଏମ କର୍ମୀମାନେ ନିଜ ନିଜ ଅଞ୍ଚଳରେ ଜ୍ୱର କିମ୍ବା ଶ୍ୱାସକ୍ରିୟା ଜନିତ ରୋଗୀଙ୍କ ଉପରେ ନଜର ରଖିବେ । ଲୋକଙ୍କୁ ମାସ୍କ ପିନ୍ଧିବା, ସ୍ୱାସ୍ଥ୍ୟ ରକ୍ଷା କରିବା ଏବଂ କୌଣସି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି । ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରତିଦିନ ସ୍ଥିତି ଅନୁଧ୍ୟାନ କରି ଜିଲ୍ଲା ଜନସ୍ୱାସ୍ଥ୍ୟ ୟୁନିଟ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।






More Stories
ଆଜି ନବଯୌବନ ଦର୍ଶନ…..
କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଖୁସି ଖବର…..
ପୁଣି କରୋନା ଭୟ:ଓଡ଼ିଶା ସୀମାରେ ହାଇଆଲର୍ଟ…..