ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ମହାମାରୀଙ୍କୁ ନେଇ ଲୋକେ ଆତଙ୍କିତ ସ୍ଥିତିରେ ଥିବାବେଳେ, କରୋନା ଟେଷ୍ଟର ଜାଲିଆତି ତଥ୍ୟ ସାମ୍ନାକୁ ଆସିଛି | ଯଦି ଏଭଳି ହୁଏ ଲୋକଙ୍କର କରୋନା ଟେଷ୍ଟ ଉପରୁ ବିଶ୍ୱାସ ତୁଟିଯିବ | ଏହା ସାହିତ ଅନେକ ଲୋକେ ଅସୁବିଧାରେ ସମ୍ମୁଖୀନ ହେବାନେଇ ଆଶଙ୍କା | କରୋନା ଯୋଗୁ ଅନେକ ଲୋକଙ୍କ ନକଲି ଟେଷ୍ଟ କରାଯାଇଥିବା ଘଟଣା ପଦାକୁ ଆସିଛି। ଏହି ଘଟଣା ହେଉଛି କୁମ୍ଭମେଳା ସମୟର । ଉତ୍ତରାଖଣ୍ଡ ହରିଦ୍ୱାରରେ ହୋଇଥିବା କୁମ୍ଭମେଳାରେ ୪ଲକ୍ଷରୁ ଅଧିକ ଲୋକଙ୍କ ଟେଷ୍ଟ କରାଯାଇଥିବା ଦାବି କରାଯାଇଥିଲା । ହେଲେ ଏହି ଟେଷ୍ଟିରେ ବି ଘୋଟାଲା ଅଭିଯୋଗ ହୋଇଛି । ଏଥିରେ ୧ଲକ୍ଷରୁ ଅଧିକ ନକଲି ଟେଷ୍ଟ କରାଯାଇଥିବା ଜଣାପଡିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଥିବା ତଦନ୍ତ ପରେ ଏହି ସବୁ ଘଟଣା ପଦାକୁ ଆସିଛି । ଗୋଟିଏ ଆଣ୍ଟିଜେନ ଟେଷ୍ଟ କିଟ୍ରେ ୭୦୦ରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି। ପରୀକ୍ଷା ହୋଇଥିବା ଲୋକଙ୍କ ଠିକଣା ଓ ନାଁ ମଧ୍ୟ ଭୁଲ । ହରିଦ୍ୱାରର ହାଉସ ନଂ ୫ରୁ ୫୩୦ଟି ନମୁନା ସଂଗ୍ରହ କରାଯାଇଥିବା ଦର୍ଶାଯାଇଛି । ଗୋଟିଏ ଘରେ ୫୦୦ରୁ ଅଧିକ ଲୋକ କେମିତି ରହିଲେ, ତା’କୁ ନେଇ ପ୍ରଶ୍ନ ଉଠିଛି। ଟେଷ୍ଟ ଦାୟିତ୍ୱ ପାଇଥିବା ଏଜେନ୍ସି କେବଳ ନାଁକୁ ମାତ୍ର କାଗଜ କଲମରେ ୧ ଲକ୍ଷ ନମୁନା ପରୀକ୍ଷା କରିଥିବା ଦର୍ଶାଇଛି । ବାସ୍ତବରେ ସେଭଳି କୌଣସି ଟେଷ୍ଟ ହୋଇନାହିଁ। ତଦନ୍ତରୁ ଆହୁରି ଜଣାପଡ଼ିଛି ଯେ ଗୋଟିଏ ଫୋନ ନମ୍ବରରେ ୫୦ରୁ ଅଧିକ ଲୋକଙ୍କ ପଞ୍ଜୀକରଣ ହୋଇଛି। ଫୋନ ନମ୍ବର ମଧ୍ୟ ନକଲି ରହିଛି। କାନପୁର, ଅହମଦାବାଦ, ମୁମ୍ବାଇ ଓ ଅନ୍ୟ ୧୮ଟି ଲୋକେସନରେ ରହୁଥିବା ଲୋକମାନେ ସମାନ ଫୋନ ନମ୍ବର ଦେଇଛନ୍ତି । ଟେଷ୍ଟ ଦାୟିତ୍ୱ ନେଇଥିବା ଏଜେନ୍ସିର କର୍ମଚାରୀମାନେ ସଂଗ୍ରହ କରିଥିବା ପ୍ରାୟ ୨୦୦ ନମୁନା ଛାତ୍ରଛାତ୍ରୀ ଓ ରାଜସ୍ଥାନରେ କାମ କରୁଥିବା ଡାଟା ଏଣ୍ଟ୍ରି ଅପରେଟରମାନଙ୍କର ରହିଛି। ସେମାନେ କେବେ ହେଲେ ହରିଦ୍ୱାର ଆସି ନଥିଲେ ହେଁ ସେମାନଙ୍କ ନମୁନା ସଂଗ୍ରହ କରାଯାଇଥିବା କୁହାଯାଇଛି । ଏପ୍ରିଲ ୧ରୁ ୩୦ ତାରିଖ ଯାଏ ହରିଦ୍ୱାରରେ କୁମ୍ଭମେଳା ଅନୁଷ୍ଠିତ ହୋଇଥିଲା। ପ୍ରତିଦିନ ୫୦ ହଜାର ନମୁନା ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏହି ସମୟସୀମାରେ ପ୍ରାୟ ୪ ଲକ୍ଷ ଟେଷ୍ଟ ୩୦ଟି ଏଜେନ୍ସି ଓ ୨୨ଟି ଘରୋଇ ଲ୍ୟାବ ଜରିଆରେ କରାଯାଇଥିଲା। ଏହା ମଧ୍ୟରୁ ୧ ଲକ୍ଷ କରୋନା ଟେଷ୍ଟ ନକଲି ବୋଲି ଜଣାପଡ଼ିଛି। ଏହା ମଧ୍ୟରୁ ୧୭୭ଟି ନମୁନା ପଜିଟିଭ ବାହାରିଥିବା ବେଳେ ପଜିଟିଭିଟି ରେଟ ୦.୧୮% ରହିଛି । କିନ୍ତୁ ଏପ୍ରିଲ ମାସରେ ହରିଦ୍ୱାରରେ ପଜିଟିଭିଟି ରେଟ୍ ୧୦% ଉପରେ ରହିଥିଲା। ଏଜେନ୍ସି ମାନଙ୍କୁ ପ୍ରତି ଟେଷ୍ଟ ପିଛା ୩୫୦ ଟଙ୍କା ଲେଖାଏ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା । ଅର୍ଥ ଆତ୍ମସାତ କରିବାକୁ ଏପରି ହୋଇଥିବା କୁହାଯାଉଛି। ଅନେକ ଅନିୟମିତତା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଡିଏମ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
More Stories
ଶୁକ୍ର ପ୍ରଦକ୍ଷିଣ ଅଭିଯାନକୁ କ୍ୟାବିନେଟ ମଞ୍ଜୁରୀ…..
ହରିୟାଣା ନିର୍ବାଚନ ପାଇଁ କଂଗ୍ରେସ ସାତ ଗ୍ୟାରେଣ୍ଟି…..
୨୧ ରେ ଶପଥ ନେଇପାରନ୍ତି ଆତିଶୀ…..