Report Card Odisha

| Daily Odia News

ଦାଦା-ପୁତୁରାଙ୍କ କଳି,ଏଲଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ବିଦାହେଲେ ଚିରାଗ…..

ରିପୋର୍ଟ କାର୍ଡ / ପାଟଣା

ବିହାର ରାଜନୀତିର କନ୍ଦଳ ବଢ଼ିବାରେ ଲାଗିଛି | ଯାହାକି ଦେଶର ଚର୍ଚ୍ଚାର ବିଷୟ ପାଲଟିଛି | ଦାଦା-ପୁତୁରାଙ୍କ ମଧ୍ୟରେ ଚାଲିଛି ଝିଙ୍କା ଝିକି | ଲୋକ ଜନଶକ୍ତି ପାର୍ଟିରେ ଜାରି ରହିଥିବା ବିବାଦ ଶେଷରେ ବିସ୍ଫୋରଣ ହୋଇଛି । ଚିରାଗ ପାସଓ୍ବାନଙ୍କୁ ଏଲଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ସୁରଜଭାନଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ‘ଏକ୍ ବ୍ୟକ୍ତି ଏକ୍ ପଦ୍’ ନିୟମ ଅନୁଯାୟୀ ଚିରାଗଙ୍କୁ ଦଳର ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିବା ସୂଚନା ମିଳିଛି । ଏହା ସହିତ ଆସନ୍ତା ୫ ଦିନ ମଧ୍ୟରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଡକାଯାଇ ନୂଆ ଅଧ୍ୟକ୍ଷ ପାଇଁ ନିର୍ବାଚନ କରାଯିବ । ଏହା ପୂର୍ବରୁ ଏଲଜେପି ର ସଂସଦୀୟ ଦଳ ନେତା ପଦରୁ ମଧ୍ୟ ଚିରାଗ ପାସଓ୍ବାନଙ୍କୁ ହଟାଇ ଦିଆଯାଇଥିଲା । ଏଲଜେପି ମୋଟ ୬ ଜଣ ସାଂସଦଙ୍କ ମଧ୍ୟରୁ ୫ ଜଣ, ଚିରାଗ ପାସଓ୍ବାନଙ୍କୁ ସଂସଦୀୟ ଦଳ ନେତା ପଦରୁ ହଟାଇବାକୁ ଲୋକସଭା ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ । ଯାହାକୁ ସ୍ବୀକାର କରିଥିଲେ ବାଚସ୍ପତି । ଚିରାଗ ପାସଓ୍ବାନଙ୍କୁ ସଂସଦୀୟ ଦଳ ନେତା ପଦରୁ ହଟାଇ ଦିଆଯିବା ପରେ ତାଙ୍କ ଚାଚା ପଶୁପତି ପାରସଙ୍କୁ ଏଲଜେପି ସଂସଦୀୟ ଦଳର ନୂଆ ନେତା ଚୟନ କରାଯାଇଛି । ଚିରାଗଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଯିବା ପରେ ଚାଚା-ପୁତୁରା ମଧ୍ୟରେ ବୁଝାମଣା ଆଶା ମଧ୍ୟ ମଉଳିଯାଇଛି । ତେବେ ଜୁନ ୨୦ ତାରିଖ ପୂର୍ବରୁ ହିଁ ପଶୁପତି କୁମାର ପାରସ ଏଲଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରନ୍ତି ।

Breaking News