ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଅନୁରାଗ ବୁଧବାର ବଜେଟ୍ ଆଲୋଚନାରେ ଭାଗ ନେବା ସମୟରେ ବିଭିନ୍ନ ପ୍ରସଙ୍ଗ ଉପରେ ବିରୋଧୀଙ୍କ ଦାବିକୁ ତଥ୍ୟ ଦ୍ବାରା ଖଣ୍ଡନ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେ ରାହୁଲଙ୍କ ନାଁ ନନେଇ ତାଙ୍କୁ ପରୋକ୍ଷରେ କଟାକ୍ଷ କରିଥିଲେ। ଠାକୁର କହିଥିଲେ ଯେଉଁ ବ୍ୟକ୍ତିକୁ ନିଜର ଜାତି ଜଣାନାହିଁ ସେ ଜାତିଗତ ଜନଗଣନା କଥା କହୁଛନ୍ତି। ଠାକୁରଙ୍କର ଏହି ଟିପ୍ପଣୀକୁ ବାଚସ୍ପତି ରେକର୍ଡରୁ କାଟି ଦେଇଥିଲେ। ତେବେ ଠାକୁରଙ୍କ ଭାଷଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ଏବଂ ସମ୍ପୂର୍ଣ୍ଣ ଭାଷଣକୁ ସେ ଏକ୍ସରେ ପୋଷ୍ଟ୍ କରି କହିଥିଲେ, ମୋର ଜଣେ କନିଷ୍ଠ ସହକର୍ମୀ ଅନୁରାଗ ଠାକୁରଙ୍କ ଦ୍ବାରା ଦିଆଯାଇଥିବା ଏହି ଭାଷଣକୁ ନିଶ୍ଚିତ ଶୁଣିବା ଉଚିତ। ଏଥିରେ ତଥ୍ୟ ଏବଂ କୌତୁହଳର ଏକ ସଠିକ୍ ସମ୍ମିଶ୍ରଣ ଅଛି। ମୋଦୀଙ୍କର ଏହି ପୋଷ୍ଟ୍କୁ କଂଗ୍ରେସ ଦଳ କଡ଼ା ସମାଲୋଚନା କରିଛି। ଠାକୁରଙ୍କ ଭାଷଣକୁ ମୋଦୀ ପ୍ରଶଂସା କରିଥିବାରୁ ଏବଂ ଏହାକୁ ଏକ୍ସରେ ସେୟାର କରିଥିବାରୁ କଂଗ୍ରେସ ଏହାକୁ ବିରୋଧ କରିଛି। ଏକ୍ସରେ ଏକ ପୋଷ୍ଟ୍ କରି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତ, ପ୍ରଧାନମନ୍ତ୍ରୀ ଅନୁରାଗ ଠାକୁରଙ୍କ ଜାତି ଭାଷଣ ନିଶ୍ଚିତ ଶୁଣିବା ଉଚିତ ବୋଲି କହିବା ସଂସଦୀୟ ସ୍ବାଧୀନତା ସାଂଘାତିକ ଉଲ୍ଲଂଘନ। ଏହା ଅତ୍ୟନ୍ତ ଅପମାନଜନକ ଏବଂ ଅସାମ୍ବିଧାନିକ। ରମେଶ କହିଛନ୍ତି, ବାଚସ୍ପତି ଆସନରେ ଥିବା ଜଗଦମ୍ବିକା ପାଲ୍ ରେକର୍ଡରୁ ଠାକୁରଙ୍କ ଟିପ୍ପଣୀକୁ କାଟିଥିଲେ ସୁଦ୍ଧା ସଂସଦ ଟିଭି ଏହାକୁ ଅପଲୋଡ୍ କରିଥିଲା ଏବଂ ପ୍ରଧାନମନ୍ତ୍ରୀ ଖୋଲାଖୋଲି ଭାବେ ଏହାକୁ ସେୟାର କରି ଠାକୁରଙ୍କୁ ପ୍ରଶଂସା କରିଥିଲେ। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଠାକୁରଙ୍କ ଟିପ୍ପଣୀକୁ କଡ଼ା ସମାଲୋଚନା କରିଛନ୍ତି।
More Stories
ଜାଲିକାଟୁ ଖେଳରେ ୭ ମୃତ,୪୦୦ରୁ ଅଧିକ ଆହତ….
ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା;ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ…..
ସୈଫ୍ଙ୍କୁ ଆକ୍ରମଣ:ସନ୍ଦୀଗ୍ଧ ଆକ୍ରମଣକାରୀ ଗିରଫ…..