ରିପୋର୍ଟ କାର୍ଡ / କଟକ
ଗୁରୁବାର ଯୋବ୍ରା ଆନିକଟରୁ କଟକ ଖ୍ରୀଷ୍ଟ କଲେଜର ଛାତ୍ର ତୁଷାରକାନ୍ତ ସାହୁଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଗତ ମଙ୍ଗଳବାରଠାରୁ ତୁଷାର ନିଖୋଜ ଥିବା ନେଇ କ୍ୟାଣ୍ଟନମେଣ୍ଟ ଥାନାରେ ପରିବାରଲୋକ ଅଭିଯୋଗ କରିଥିଲେ । ତେବେ ବୁଧବାର ତୁଷାରଙ୍କ ସ୍କୁଟି କଟକ ମଧୁସୂଦନ ସେତୁରୁ ଉଦ୍ଧାର କରାଯିବା ପରେ ତୁଷାର ନଦୀକୁ ଡେଇଁ ପଡିଥିବା ସନ୍ଦେହ କରି ଅଗ୍ନିଶମ ବାହିନୀ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ତୁଷାରଙ୍କ ପତ୍ତା ମିଳିନଥିଲା । ତେବେ ଗୁରୁବାର ଯୋବ୍ରା ଆନିକଟ ନିକଟରେ ଏକ ମୃତଦେହ ଭାସୁଥିବା ନେଇ ପୋଲିସ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା । ମୃତଦେହ ଉଦ୍ଧାର ପରେ ଏହା ତୁଷାରଙ୍କର ବୋଲି ତାଙ୍କ ପରିବାର ଲୋକ ଚିହ୍ନଟ କରିଥିଲେ । ତେବେ ତୁଷାର ନିଖୋଜ ହେବା ଦିନ ତାଙ୍କର କିଛି କଲେଜ ସାଙ୍ଗଙ୍କ ସହ ପାଟିତୁଣ୍ଡ ହୋଇଥିଲା । ତେବେ ଏହି ବିବାଦ ଗତ କିଛି ମାସ ତଳୁ ହୋଇଥିଲା । ଯେଉଁମାନଙ୍କ ସହ ଏହି ବିବାଦ ରହିଥିଲା ସେହିମାନେ ହିଁ ତୁଷାରକୁ ହତ୍ୟା କରି ଫଙ୍ଗିଦେଇଥିବା ତୁଷାରଙ୍କ ବାପା ଅଭିଯୋଗ କରିଛନ୍ତି । ସେପଟେ ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ କଟକ ଏସସିବି ମେଡିକାଲକୁ ପଠାଇଥିବା ବେଳେ ଜଗତପୁର ଥାନା ପୋଲିସ ଏକ ମାମଲା ରୁଜୁ କରି ସବୁ ଦିଗକୁ ନେଇ ତଦନ୍ତ କରୁଥିବା ଏସିପି କହିଛନ୍ତି ।
Discussion about this post