Report Card Odisha

| Daily Odia News

ଖୋଲିବ ବଜାର ଓ ମଲ୍….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜାତୀୟ ରାଜଧାନୀ ଦିଲ୍ଲୀରେ କୋହଳ ହେଲା ଲକ୍‌ଡାଉନ୍‌ କଟକଣା | ଏନେଇ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଘୋଷଣା କରିଛନ୍ତି। ଦିଲ୍ଲୀରେ ଜାରି କରାଯାଇଥିବା ଲକ୍‌ଡାଉନ୍‌ ସୋମବାର ସରୁଥିଲେ ବି ସଂପୂର୍ଣ୍ଣ ଉଠିବନି। ଲକ୍‌ଡାଉନ୍‌ ଜାରି ରହିବ କିନ୍ତୁ କଟକଣା କୋହଳ କରାଯିବ। ଏହାସହ ଦିଲ୍ଲୀରେ ସଂକ୍ରମଣ ଏବେ ନିୟନ୍ତ୍ରଣରେ ଥିବା କେଜ୍ରିୱାଲ୍‌ କହିଛନ୍ତି। ଅଡ୍-ଇଭିନ୍ ଫର୍ମୁଲାରେ ଦିଲ୍ଲୀରେ ଶପିଂ ସେଣ୍ଟର, ମଲ୍ ଖୋଲା ହେବ । ନମ୍ବର ଅନୁଯାୟୀ, ଦିନେ ଛାଡ଼ି ଦିନେ ଖୋଲିବ ଦୋକାନ ଓ ମଲ୍। ଅଡ୍-ଇଭିନ୍‌ରେ ଦିନ ୧୦ରୁ ରାତି ୮ଯାଏ ଦୋକାନ ଖୋଲା ରହିବ। ଜରୁରୀ ସାମଗ୍ରୀ ଦୋକାନ ସବୁବେଳେ ଖୋଲା ରହିବ। ଗଳି ଦୋକାନ, ଗୋଟିକିଆ ଦୋକାନ ସବୁଦିନ ଖୋଲିବ। କେବଳ ୫୦% କର୍ମଚାରୀଙ୍କୁ ନେଇ ସମସ୍ତ ପ୍ରାଇଭେଟ୍‌ ଅଫିସ୍‌ ଚାଲିବ। ଯେଉଁମାନେ ଘରେ ରହି କାମ କରୁଛନ୍ତି, ସେମାନେ ଏହା ଚାଲୁ ରଖିବା ପାଇଁ କୁହାଯାଇଛି। ପବ୍ଲିକ୍‌ ସେକ୍ଟର ଅଫିସର କ୍ୟାଟେଗୋରୀ ଏ କର୍ମଚାରୀ ସବୁଦିନରେ କାମ କରିପାରିବେ, କିନ୍ତୁ ସେମାନଙ୍କ ଅଧିନରେ ଥିବା ସମସ୍ତ କ୍ୟାଟେଗୋରୀରେ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରାଯିବ। ଏହାକୁ କଡ଼ାକଡ଼ି ପାଳନ କରିବା ପାଇଁ କୁହଯାଇଛି। ଦିଲ୍ଲୀ ମେଟ୍ରୋ ମଧ୍ୟ ୫୦% ଯାତ୍ରୀଙ୍କୁ ନେଇ ଚଳାଚଳ କରିବ। ଆଗକୁ ସ୍ଥିତିରେ ଧୀରେ ଧୀରେ ସୁଧାର ଆସିଲେ ଆହୁରି କଟକଣା କୋହଳ କରାଯିବ ବୋଲି କେଜ୍ରିୱାଲ୍‌ କହିଛନ୍ତି।

Breaking News