Report Card Odisha

| Daily Odia News

ଧାନର ମୂଲ୍ୟ ବୃଦ୍ଧିକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗକୁ ନେଇ ପୁଣି ପୁରୁଣା ବିବାଦ ହୋଇଛି । କେନ୍ଦ୍ର ସରକାର ଧାନର ଏମଏସପି ୭୨ ଟଙ୍କା ବୃଦ୍ଧି କରିବା ପରେ ବିଜେପି, ବିଜେଡି ଏବଂ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । କୃଷିମନ୍ତ୍ରୀ ଅରୁଣ ସାହୁ ଆଜି ପ୍ରେସ୍ ରେ କହିଛନ୍ତି ଯେ ଏତେ କମ୍ ଟଙ୍କା ବୃଦ୍ଧି ଚାଷୀଙ୍କ ହିତରେ ଆସିବ ନାହିଁ। ଓଡିଶାକୁ ସ୍ବତନ୍ତ୍ର ଦୃଷ୍ଟି ଦେଇ ଧାନର ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ଏନେଇ ସେ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଅରୁଣଙ୍କ ଯୁକ୍ତି, ରାଜ୍ୟର କୃଷକ ମାନଙ୍କ ମଧ୍ୟରୁ ଏକ ବୃହତ ଅଂଶ କ୍ଷୁଦ୍ର ଓ ନାମମାତ୍ର ଚାଷୀ । ଏହାସହ ପ୍ରାୟ ସମୟରେ ଚାଷୀମାନେ ବିଭିନ୍ନ ଦୈବି ଦୁର୍ବିପାକ ଏବଂ ରୋଗପୋକ ଦାଉରୁ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଗତ ୨୦ବର୍ଷ ମଧ୍ୟରେ ସାତ ଥର ବାତ୍ୟା, ଅନେକ ଥର ବନ୍ୟା, ମରୁଡି ଓ ରୋଗପୋକ ଜନିତ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି ଚାଷୀ। ଏହାକୁ ଆଖିରେ ରଖି ଓଡିଶା ଦାବି କରୁଥିବା ଧାନର ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ସେ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତରରେ ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି ଯେ ଗତ ୨୦୧୩ ମସିହାରୁ ରାଜ୍ୟ ସରକାର ଚାଷୀଙ୍କୁ ୧୦୦ ଟଙ୍କା ବୋନସ ଦେବାକୁ ଘୋଷଣା କରିଥିଲେ । ହେଲେ ଏ ଯାଏ ତାହା କାର୍ଯ୍ୟକାରୀ ହୋଇନାହିଁ । ଦେଶର ଅନ୍ୟ ରାଜ୍ୟରେ ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୫୦୦ ଟଙ୍କା ବୋନସ ଦିଆଯାଉଛି , ହେଲେ ରାଜ୍ୟ ସରକାର ତାହା କରିଲେନି। ସେହିପରି ଧାନ କିଣାବିକାରେ ବ୍ୟାପକ କଟନୀ ଛାଟନୀ ହେଉଥିବାରୁ ତାହା ମିଲର୍ସ ଙ୍କୁ ସୁହାଉଛି । ସରକାର ଏଦିଗରେ ଠୋସ୍ ପଦକ୍ଷେପ ନେଉନାହାଁନ୍ତି । ଏପରିକି ଯେତିକି ଏମଏସପି ଘୋଷଣା ହେଉଛି ସେଇ ରେଟ୍ ରେ ଚାଷୀ ଧାନ ବିକିପାରୁ ନାହାଁନ୍ତି । କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି । ୪ ବର୍ଷ ତଳେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାକୁ ବିଧାନସଭାରେ ସବୁ ଦଳ ସର୍ବସମ୍ମତ ନିଷ୍ଟତି ନେଇଥିଲେ । ଏନେଇ କେନ୍ଦ୍ର ନିକଟରେ ଦାବି ବି ରଖାଯାଇଥିଲା । ହେଲେ ସାରା ଦେଶପାଇଁ ଗୋଟିଏ ରେଟ୍ କହି ଓଡିଶା ଦାବି ଗ୍ରହଣ କରିନଥିଲେ କେନ୍ଦ୍ର ସରକାର । ଏହାଭିତରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢି ହୋଇଥିଲାଲା ୧୮୬୮ ଟଙ୍କା । କେନ୍ଦ୍ର ୭୨ ଟଙ୍କା ବଢାଇବା ପରେ ଏହା ୧୯୪୦ ଟଙ୍କା ଛୁଇଁଛି । ଏହାକୁ ନେଇ ଦୁଇଦିନ ଧରି ଚାଲିଛି ଉଭୟ ଶାସକ ବିରୋଧୀଙ୍କ ମଧ୍ୟରେ ବାକ ଯୋଦ୍ଧ ।

Breaking News