ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଡାଇରିଆ ମାମଲା ବୃଦ୍ଧି ପାଇବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ରାଜଧାନୀରେ ହୋଟେଲରେ ଓ ଫଳ ଷ୍ଟଲଗୁଡ଼ିକରେ ନିରୀକ୍ଷଣ ଆରମ୍ଭ କରିଛି। ସମ୍ ହସ୍ପିଟାଲ ଅଞ୍ଚଳ ନିକଟସ୍ଥ ହୋଟେଲ ଗୁଡ଼ିକୁ ବିଶେଷ ଭାବେ ପରୀକ୍ଷା କରାଯାଇଥିଲା, ଯେଉଁଠାରେ ଜନସାଧାରଣଙ୍କୁ ପରିବେଷିତ ଖାଦ୍ୟର ଗୁଣବତ୍ତା ଓ ପରିଚ୍ଛନ୍ନତା ଯାଞ୍ଚ କରାଯାଇଛି। ଚଢ଼ାଉ ସମୟରେ ବିଏମସି ଟିମ୍ ଦୁଇଟି ସ୍ଥାନୀୟ ହୋଟେଲରୁ ବାସି ଖାଦ୍ୟ ଓ ଅନଧିକୃତ ଖାଦ୍ୟ ରଙ୍ଗ ଜବତ କରିଛି। ଖାଦ୍ୟ ସୁରକ୍ଷା ଓ ମାନକ ଆଇନ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଏହି ପ୍ରତିଷ୍ଠାନଗୁଡ଼ିକୁ ୭,୦୦୦ ଟଙ୍କା ଜରିମାନା କରାଯାଇଛି। ଏହି କ୍ରମରେ କଳିଙ୍ଗନଗରରେ ଏକ ଆପାର୍ଟମେଣ୍ଟରୁ ଡାଇରିଆ ମାମଲା ରିପୋର୍ଟ ହେବା ପରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଘାଟିକିଆ ଅଞ୍ଚଳ ପରିଦର୍ଶନ କରିଛନ୍ତି। ତାଙ୍କ ସହ ବିଏମସି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, ସ୍ଥାନୀୟ କର୍ପୋରେଟର, ଓଡ଼ିଶା ଜଳ ନିଗମର ଅଧିକାରୀ ଏବଂ ଜୋନାଲ ଡେପୁଟି କମିଶନର ଉପସ୍ଥିତ ଥିଲେ। “ଆମେ ଡ୍ରେନ୍ ପାଣି ପାନୀୟ ଜଳରେ ମିଶୁଥିବା ପ୍ରମାଣ ପାଇଛୁ। ଜଳ ନମୁନାକୁ ପରୀକ୍ଷାଗାର ପରୀକ୍ଷଣ ପାଇଁ ପଠାଯାଇଛି,” ମେୟର ଦାସ କହିଛନ୍ତି। “ଏପର୍ଯ୍ୟନ୍ତ ଆପାର୍ଟମେଣ୍ଟର ୬୨ ଜଣ ବାସିନ୍ଦା ପ୍ରଭାବିତ ହୋଇଛନ୍ତି ଏବଂ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଆପାର୍ଟମେଣ୍ଟରେ ପାଇପ ସପ୍ଲାଏ ପାଣି ନାହିଁ, ଏବଂ ବାସିନ୍ଦାମାନେ କେବଳ ଭୂତଳ ଜଳ ଉପରେ ନିର୍ଭର କରୁଛନ୍ତି।” ସେ ଆହୁରି ଜଣାଇଛନ୍ତି ଯେ ବିଏମସି ଆପାର୍ଟମେଣ୍ଟ ନିର୍ମାଣକାରୀଙ୍କୁ ଏକ ନୋଟିସ୍ ଜାରି କରିଛି। ନିର୍ମାଣକାରୀ ଭୁବନେଶ୍ୱର ବିକାଶ ପ୍ରାଧିକରଣ (ବିଡିଏ)ର ନିୟମାବଳୀ ପାଳନ କରିଛନ୍ତି କି ନାହିଁ, ତାହାର ତଦନ୍ତ ଚାଲିଛି।
More Stories
ରାଜ୍ୟରେ ଗଡିବ ସବୁ ଘରୋଇ ବସ୍…..
ଏହି ଦିନ ଆସିବ ସୁଭଦ୍ରା ଟଙ୍କା…..
ସମାବେଶରେ ବର୍ଷିଲେ ରାହୁଲ…..