ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଡୋମିନିକା ସରକାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଡୋମିନିକା ସରକାର ଏନେଇ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି । ଏହା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁୟାନାରେ ଆୟୋଜିତ ହେବାକୁ ଥିବା ଆଗାମୀ ଭାରତ-କ୍ୟାରିକୋମ୍ ସମ୍ମିଳନୀରେ ଏହି ସମ୍ମାନରେ ସମ୍ମାନିତ କରାଯିବ । ଡୋମିନିକା ସରକାର ବୟାନରେ କହିଛନ୍ତି ଯେ ରାଷ୍ଟ୍ରପତି ସେଲବେନି ବର୍ଟନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବେ । ୨୦୨୧ ଫେବ୍ରୁଆରିରେ ପିଏମ୍ ମୋଦୀ ଡୋମିନିକାର ଏକ ବହୁମୂଲ୍ୟ ଉପହାର ଦେଇ କରୋନା ଭ୍ୟାକ୍ସିନ ଆଷ୍ଟ୍ରାଜେନିକାର ୭୦ ହଜାର ଡୋଜ ପଠାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଉଦାରତା ଯୋଗୁଁ ଡୋମିନିକା ସରକାର ତାଙ୍କୁ ନିଜ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାସହ ପିଏମ୍ ମୋଦୀଙ୍କ ନେତୃତ୍ୱରେ ଭାରତ, ଡୋମିନିକାର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଆଇଟି କ୍ଷେତ୍ରରେ ମଧ୍ୟ ସହଯୋଗ କରୁଛି । ଡୋମିନିକାରେ ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ବି ଭାରତ ସହଯୋଗ କରୁଛି । ଡୋମିନିକା ପ୍ରଧାନମନ୍ତ୍ରୀ ରୁଜୱେଲ୍ଟ ସ୍କର୍ମିଟ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଜର ପ୍ରକୃତ ବନ୍ଧୁ ରୂପେ ଅଭିହିତ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଇଣ୍ଡିଆ କେରିକୋମ ସମ୍ମିଳନୀ ନଭେମ୍ୱର ୧୯ରୁ ୨୧ ଯାଏ ଗୁୟାନାର ଜର୍ଜଟାଉନରେ ଆୟୋଜିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନେକ ଦେଶ ନିଜର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିସାରିଛନ୍ତି । ଗତ ଜୁଲାଇରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଅର୍ଡର୍ ଅଫର୍ ସେଣ୍ଟ ଆଣ୍ଡ୍ରୁ ଦ’ ଏପୋଷ୍ଟଲରେ ସମ୍ମାନିତ କରିଥିଲେ । ଏହା ପୂର୍ବରୁ ପିଏମ୍ ମୋଦୀଙ୍କୁ ଭୂଟାନର ସର୍ବୋଚ୍ଚ ନାଗରିକ ସମ୍ମାନ ଅର୍ଡର ଅଫ୍ ଦ ଡ୍ରୁକ ଗ୍ୟାଲପୋରେ ସମ୍ମାନିତ କରାଯାଇଥିଲା । ଭୂଟାନ ପ୍ରଥମ ଥର ପାଇଁ କୌଣସି ଅଣଭୂଟାନୀ ନାଗରିକଙ୍କୁ ଏହି ସମ୍ମାନ ଦେଇଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୟୁଏଇ, ଆଫଗାନିସ୍ତାନ, ବାହାରିନ ଏବଂ ସାଉଦି ଆରବ, ଫ୍ରାନ୍ସ, ମିଶର, ଫିଜି, ପାପୁଆ ନ୍ୟୁ ଗିନି, ପଲାଓ, ଆମେରିକା, ମାଲଦ୍ୱୀପ, ଫାଲିସ୍ତିନର ସର୍ବୋଚ୍ଚ ନାଗରିକ ସମ୍ମାନ ମିଳିସାରିଛି ।
More Stories
ଆଦାନୀଙ୍କ ନିୟନ୍ତ୍ରଣରେ ମୋଦୀ…..
ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କଲା ରୁଷ…..
ବିସ୍ଫୋରଣ ହେଲା ଆଇସଲ୍ୟାଣ୍ଡ ଆଗ୍ନେୟଗିରି….