ରିପୋର୍ଟ କାର୍ଡ / ଭୁବନେଶ୍ୱର
୫ କୋଟି ଟଙ୍କାର ମାନହାନି ମାମଲା ଦାୟର କଲେ ଧାବିକା ଦୂତି ଚାନ୍ଦ । ଟୋକିଓ ଅଲିମ୍ପିକ୍ସ ଚାଲିଥିବା ସମୟରେ ସାମାଜିକ ଗଣମାଧ୍ୟମରେ ଧାବିକା ଦୂତି ଚାନ୍ଦଙ୍କ ପରିବାରକୁ ନେଇ ନକାରାତ୍ମକ ଖବର ପ୍ରସାରଣ ହୋଇଥିଲା। ଦୂତିଙ୍କ ସଂପର୍କରେ ନକାରାତ୍ମକ ମନ୍ତବ୍ୟ ଦେଇଥିବା ଅଭିଯୋଗ ଆଣି ଏକ ୱେବ ଚାନେଲର ଏଡିଟର ସୁଧାଂଶୁ ଶେଖର ରାଉତ, RTI କର୍ମୀ ପ୍ରଦୀପ ପ୍ରଧାନଙ୍କ ବିରୁଦ୍ଧରେ ମହିଳା ଥାନାରେ ମାମଲା ଦାୟର କରିଛନ୍ତି। ଏଥି ସହିତ ସିନିୟର ସିଭିଲ ଜଜ ଭୁବନେଶ୍ୱରଙ୍କ ଠାରେ ୫ କୋଟି ଟଙ୍କାର ମାନହାନି ମାମଲା ଦାୟର କରିଛନ୍ତି ଦୂତି | ଟୋକିଓ ଅଲିମ୍ପିକ୍ସରୁ ଫେରିବା ପରେ ଦୂତି ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି | କହିଛନ୍ତି, ମୋର ୧୦୦ ମିଟର ଦୌଡ଼ ଶେଷ ହେବା ପରେ ମୁଁ ଅଗଷ୍ଟ ୨ରେ ମୋର ୨୦୦ ମିଟର ଦୌଡ଼ ପାଇଁ ପ୍ରସ୍ତୁତ ହେଉଥାଏ। ଜୁଲାଇ ୩୧ରେ ସାମାଜିକ ଗଣମାଧ୍ୟମରେ ମୁଁ ପରିବାରକୁ କୌଣସି ସାହାଯ୍ୟ କରୁନାହିଁ ବୋଲି ଖବର ପ୍ରସାରଣ ହେଲା। ମୁଁ ପରିବାର ପ୍ରତି କ’ଣ ସାହାଯ୍ୟ କରିଛି; ମୁଁ ଜାଣିଛି। ଆବଶ୍ୟକ ସ୍ଥଳେ ମୁଁ ପ୍ରମାଣ ଦେବି ବୋଲି ଦୂତି କହିଛନ୍ତି। ସେମାନେ ମୋ ସହିତ ମୋର ପ୍ରଶିକ୍ଷକ ଓ ପୃଷ୍ଠପୋଷକଙ୍କୁ ମଧ୍ୟ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ସମ୍ମାନରେ ଆଞ୍ଚ ଆସିଛି, ଖେଳରେ ପ୍ରଭାବିତ ହୋଇଛି କହିବା ସହ ବିଭନ୍ନ ବ୍ରାଣ୍ଡର ବିଜ୍ଞାପନ ଆସିବାର ଥିଲା ତାହା କ୍ୟାନ୍ସସଲ ହୋଇଛି ବୋଲି ଦୂତି କହିଛନ୍ତି। ଏନେଇ ଦୁତି ଆଇନର ଆଶ୍ରୟ ନେଇଛନ୍ତି।କହିଛନ୍ତି କି ଭାରତ ସରକାର ଓ ବିଶେଷ କରି ଓଡ଼ିଶା ସରକାର କ୍ରୀଡ଼ା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି; କ୍ରୀଡ଼ାକୁ ପ୍ରୋତ୍ସାହନ ଯୋଗାଇ ଦେଇ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ବିନୀତ ଅନୁରୋଧ କରୁଛି କି ଯଦି ଏହି ନକାରାତ୍ମକ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ; ଆଗାମୀ ଦିନରେ କୌଣସି କ୍ରୀଡ଼ାବିତ୍ ସେମାନଙ୍କ ନୈପୁଣ୍ୟ ପ୍ରଦର୍ଶନ କରିପାରିବେ ନାହିଁ କିମ୍ବା ଶାନ୍ତିରେ ରହିପାରିବେ ନାହିଁ। ଆବଶ୍ୟକ ନ୍ୟାୟ ନ ପାଇଲେ ଓଡ଼ିଶା ଛାଡ଼ିବାକୁ ବାଧ୍ୟହେବି ବୋଲି ଦୂତି କହିଛନ୍ତି। ସେପଟେ ସୁଧାଂଶୁ କହିଛନ୍ତି-“ସେ ୫ କୋଟି ଟଙ୍କା ମୋ ଠାରୁ କେବେ ଆଦାୟ କରିବେ, ତାହା ସମୟ କହିବ। ଦୂତି ଅଲମ୍ପିକ୍ସରେ ହାରିବା ପରେ ତାଙ୍କ ଭଉଣୀ ପ୍ରତିକ୍ରିୟା ଦେଇଥିଲେ। ତାକୁ ନେଇ ଆମେ ଖବର ପ୍ରସାରଣ କରିଥିଲୁ। ଆଉ ଦାୟୀତ୍ୱବାଦ ୱେବ ହିସାବରେ ତାଙ୍କ ପ୍ରତିକ୍ରିୟା ଚାହିଁଥିଲୁ। କିନ୍ତୁ ପ୍ରତିକ୍ରିୟା ବଦଳରେ ଏକ ଲକ୍ଷ ଟଙ୍କା ଚାନ୍ଦା ମାଗିବାର ସାଙ୍ଘାତି ଅଭିଯୋଗ ଲଗାଇଲେ।” ଏହି ଘଟଣାକୁ ନେଇ ପ୍ରଦୀପ ପ୍ରଧାନ କହିଛନ୍ତି-“ଦୂତି ଚାନ୍ଦ ଯେଉଁ ଅଭିଯୋଗ କରିଛନ୍ତି, ବାସ୍ତବରେ ସେଭଳି କିଛି ମାନହାନି ସୂଚକ ମନ୍ତବ୍ୟ ମୁଁ କେବେ ଦେଇନାହିଁ। ତାଙ୍କ ସମ୍ପର୍କରେ ମୁଁ ବିଶେଷ କିଛି ଜାଣିନାହିଁ। ଅଲମ୍ପିକ୍ସିରେ ତାଙ୍କର ଭଲ ପ୍ରଦର୍ଶନ ହୋଇନଥିବାରୁ ସୋଶାଲ୍ ମିଡିଆ ସେତେବେଳେ ଆଲୋଚନା କରିଥିଲେ। ବହୁ ଲୋକ ବହୁ କମେଣ୍ଟ ଦେଇଥିଲେ, ମୁଁ ମଧ୍ୟ ଦେଇଥିଲି।”
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….