ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗତ ବର୍ଷ ପରି ଏ ବର୍ଷ ମଧ୍ୟ କଟକର ଐତିହାସିକ ବାଲିଯାତ୍ରା ହେବ ନାହିଁ । କୋଭିଡ୍ କଟକଣା ଜାରି ରହିଥିବାରୁ ଚଳିତ ବର୍ଷ ବାଲିଯାତ୍ରା ଆୟୋଜନ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରସ୍ତୁତି ନାହିଁ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି । ବାଲିଯାତ୍ରା ଆୟୋଜନ ନ ହେବା ଖବର କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ ଆରମ୍ଭ କରି କୁଟୀର ଶିଳ୍ପ, ହସ୍ତଶିଳ୍ପ ବ୍ୟବସାୟୀଙ୍କ ସମେତ ମଧ୍ୟମବର୍ଗର ବ୍ୟବସାୟୀ ଏବଂ ମିଶନ ଶକ୍ତି ତଥା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ପୁଣି ନିରାଶ କରିଛି । ଏପରିସ୍ଥଳେ ବାଲିଯାତ୍ରାରେ ବ୍ୟବସାୟ ପାଇଁ ଚାତକ ପରି ଚାହିଁ ବସିଥିବା ବ୍ୟବସାୟୀ ହତାଶ ହୋଇପଡ଼ିଛନ୍ତି । କରୋନାକୁ ନେଇ ଲୋକଙ୍କ ମନରେ ଆଶଙ୍କା କମିବା ସହ ରାଜ୍ୟରେ ବିଭିନ୍ନ ରାଜନୈତିକ ସମାବେଶ ସମେତ ସରକାରୀ ସ୍ତରରେ କୋଭିଡ୍ କଟକଣାରେ ସମାବେଶ ଏବଂ ସରକାରୀ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏପରିସ୍ଥିତିରେ କଟକର ଐତିହାସିକ ବାଲିଯାତ୍ରାକୁ କିପରି କୋଭିଡ୍ କଟକଣା ମଧ୍ୟରେ ଆୟୋଜନ କରିହେବ ସେ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନ ନେଇ ବାଲିଯାତ୍ରାକୁ ବନ୍ଦ କରିବା ପାଇଁ ଚକ୍ରାନ୍ତ କରୁଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି | ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି |
Discussion about this post