ନୂଆଦିଲ୍ଲୀ (ବିବିଏମ୍ ଟିଭି): ନିର୍ବାଚନୀ ପାଇଁ ଘୋଷଣା ହେବ ତାରିଖ । ୫ଟି ରାଜ୍ୟରେ ତାରିଖ ଘୋଷଣା ହେବା ନେଇ ଚର୍ଚ୍ଚା ।ଆଜି ଅପରାହ୍ନ ୪.୩୦ସମୟରେ ଭାରତୀୟ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀ କରିବେ । ଏହି ସମୟରେ ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ । ଏହି ସବୁ ରାଜ୍ୟରେ ଏପ୍ରିଲ-ମେ’ ମାସରେ କ୍ଷମତାସୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ଏହା ପୂର୍ବରୁ ଏଠାରେ ନୂଆ ସରକାର ଗଠନ ପାଇଁ ପ୍ରକ୍ରିୟା ଶେଷ ହେବ ।
କିଛି ରାଜ୍ୟରେ ଖାଲି ପଡ଼ିଥିବା ବିଧାନସଭାର ଉପ ନିର୍ବାଚନ ପାଇଁ ମଧ୍ୟ କମିଶନ ତାରିଖ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି ।
ବିହାର ବିଧାନସଭା ନିର୍ବାଚନ ପରେ ପ୍ରଥମଥର ପାଇଁ କରୋନା ମହାମାରୀ ମଧ୍ୟରେ ଏକକାଳୀନ ଗୁରୁତ୍ୱପୂର୍ଣ୍ଣ ୫ ରାଜ୍ୟରେ ଭୋଟିଂ ହେବାକୁ ଯାଉଛି । ପଶ୍ଚିମବଙ୍ଗର ୨୯୪, ତାମିଲନାଡୁରେ ୨୩୪, କେରଳରେ ୧୪୦, ଆସାମରେ ୧୨୬ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀର ୩୦ଟି ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯିବ । ଏହି ସବୁ ରାଜ୍ୟରେ ସବୁ ରାଜନୀତିକ ଦଳ ନିର୍ବାଚନ ପାଇଁ ପ୍ରଚାର ଏବେଠାରୁ ହିଁ ଆରମ୍ଭ କରିସାରିଛନ୍ତି ।
ଏଥର ପଶ୍ଚିମବଙ୍ଗରେ ହାଇଭୋଲଟେଜ୍ ଲଢ଼େଇ ହେବ । କାରଣ ଦୁଇଥର କ୍ଷମତା ଦଖଲ କରି ମୁଖ୍ୟମନ୍ତ୍ରୀ ହୋଇଥିବା ମମତା ବାନାର୍ଜୀଙ୍କୁ ବିଜେପି କଡ଼ା ଚ୍ୟାଲେଞ୍ଜ ଦେଉଛି । ସେହିପରି କ୍ଷମତାସୀନ ଟିଏମସିରୁ ଏକାଧିକ ମନ୍ତ୍ରୀ ଓ ବିଧାୟକ ବିଜେପିରେ ସାମିଲ ହେବାରୁ ମମତାଙ୍କ ଚିନ୍ତା ବଢ଼ିଛି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଯାଏ ବେଙ୍ଗଲକୁ ବାରମ୍ବାର ଗସ୍ତ କରି ଦଳ ପାଇଁ ପ୍ରଚାର କରିବାରେ ଲାଗିଛନ୍ତି ।
ଆସାମରେ ମଧ୍ୟ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ବିଜେପି ଜୋରଦାର ପ୍ରଚାର କରୁଛି । ୨୦୧୬ରେ ଦଳ ଏଠାରେ କଂଗ୍ରେସକୁ ଗାଦିଚ୍ୟୁତ କରି ପ୍ରଥମଥର କ୍ଷମତା ଦଖଲ କରିଥିଲା । ଏହି ୫ଟି ରାଜ୍ୟ ମଧ୍ୟରୁ କଂଗ୍ରେସ ୨୦୧୬ରେ କେବଳ ପୁଡୁଚେରୀରେ କ୍ଷମତା ଦଖଲ କରିପାରିଥିଲା । ହେଲେ ଦଳୀୟ ବିଧାୟକ ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀଙ୍କ ହାତ ଛାଡ଼ି ଦେବାରୁ କିଛି ଦିନ ତଳେ କଂଗ୍ରେସ ସରକାରର ପତନ ଘଟିଛି ।
ତାମିଲନାଡୁରେ ଏଆଇଏଡିଏମକେ କ୍ଷମତାରେ ରହିଛି । ଏଥର ଦଳ ବିଜେପି ସହ ମେଣ୍ଟ କରି ବିଧାନସଭା ନିର୍ବାଚନ ଲଢ଼େଇ କରିବ । କିନ୍ତୁ ଲୋକସଭା ନିର୍ବାଚନରେ କଂଗ୍ରେସ ଓ ଏମକେ ଷ୍ଟାଲିନଙ୍କ ଡିଏମକେ ଜବରଦସ୍ତ ପ୍ରଦର୍ଶନ କରିଥିବାରୁ ସମସ୍ତଙ୍କ ନଜର ଏହି ରାଜ୍ୟ ଉପରେ ରହିଛି ।
More Stories
ପାକିସ୍ତାନର ଏଜେଣ୍ଡା ଜମ୍ମୁକଶ୍ମୀରରେ ଲାଗୁ ହେବ ନାହିଁ,କଂଗ୍ରେସ ଓ ପାକିସ୍ତାନର ଏଜେଣ୍ଡା ସମାନ…..
ଆମେରିକା କୋର୍ଟରୁ ଅଜିତ ଡୋଭାଲ ଙ୍କ ନାଁରେ ସମନ…..
କଂଗ୍ରେସ-ଏନସି ମେଣ୍ଟ ସହ ଏକମତ ଅଛୁ : ପାକିସ୍ତାନ….