Report Card Odisha

| Daily Odia News

ଚାଷୀଙ୍କୁ ମିଳିବ ସ୍ୱତନ୍ତ୍ର ପ୍ୟାକେଜ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଚଳିତ ବନ୍ୟାରେ କ୍ଷୟକ୍ଷତିର ଆକଳନ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା । ଓଡ଼ିଶାରେ ଗୋଟିଏ ପରେ ଗୋଟିଏ ବନ୍ୟା ଆସୁଛି । ବର୍ଷା ଓ ଲଘୁଚାପର ପୁଣି ସମ୍ଭାବନା ଅଛି । ବନ୍ୟା ବି ହେଉଛି । ଗତ ୧୫ ଦିନ ଭିତରେ ୨୪ଟି ଜିଲ୍ଲାର ୧୫୪ଟି ବ୍ଲକର ୮୭୯ ଗୋଟି ଗ୍ରାମ ପଞ୍ଚାୟତ ଏବଂ ୨୮୫୫ଟି ଗାଁ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇଛି । ସହରାଞ୍ଚଳରେ ୨୦୯ଟି ୱାର୍ଡରେ ୧୩ ଲକ୍ଷ ୭୧ ହଜାର ୩୩୮ ଲୋକ ପ୍ରଭାବିତ ହୋଇଛନ୍ତି । ୭ ଲକ୍ଷ ୨୨ ହଜାର ୭୩୨ ଲୋକଙ୍କୁ ପର୍ଯ୍ୟାୟକ୍ରମେ ୩୬୬ଟି ଗାଁରୁ ସ୍ଥାନାନ୍ତରିତ କରାଯାଇଛି। ୭୯ ହଜାର ୮୨୪ ହେକ୍ଟର ଚାଷ ଜମି, ୫୦୪୪ ଘର କ୍ଷତିଗ୍ରସ୍ତ ହୋଇଛି । ସରକାରଙ୍କ ପକ୍ଷରୁ ୭୮୩ ରିଲିଫ କ୍ୟାମ୍ପ ଖୋଲାଯାଇଥିଲା । ଏହାଦ୍ବାରା ୭ ଲକ୍ଷ ୨୬ ହଜାର ୪୪୧ ଲାଭାର୍ଥି ସାହାଯ୍ୟ ସହଯୋଗ ନେଇଥିଲେ । ୩୧ ସ୍ଥାନରେ ପଶୁ ସମ୍ପଦକୁ ସ୍ଥାନାନ୍ତରିତ କରାଯାଇଥିଲା । ୯୦.୫ କ୍ବିଣ୍ଟାଲ ଚାଉଳ, ୩୫୬ କେଜି ଗୁଡ଼ ଦିଆଯାଇଛି । ୮୭୦୮ ପଲିଥିନ ପ୍ରଭାବିତ ଲୋକଙ୍କୁ ଦିଆଯାଇଛି । ୧୧୦ କୋଟି ଟଙ୍କା ବିଭିନ୍ନ ଜିଲ୍ଲାକୁ ଦିଆଯାଇଥିଲା । ଆହୁରି ୨୬ କୋଟି ଟଙ୍କା ଅଧିକ ସାହାଯ୍ୟ ଦିଆଯାଇଛି । କିଛି ଜିଲ୍ଲାରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିଲାଣି । କୃଷି ବିଭାଗର କ୍ଷୟକ୍ଷତି ଏବଂ ସାହାଯ୍ୟ ନେଇ ଆଜି କ୍ୟାବିନେଟ୍ରେ ଆଲୋଚନା ହେବ । ଚାଷୀଙ୍କୁ ସ୍ୱଳ୍ପ ମିଆଦି ଧାନ ବିହନ ଯୋଗାଇ ଦିଆଯିବ । ସେହିପରି ପନିପରିବା ଚାଷୀଙ୍କ ପାଇଁ ମଧ୍ୟ ଅଧିକ ସାହାଯ୍ୟ ଦିଆଯିବ । କୃଷି, ସମବାୟ, ପଶୁ ସମ୍ପଦ ବିଭାଗ ଦ୍ୱାରା ସ୍ୱତନ୍ତ୍ର ପ୍ୟାକେଜ ଦିଆଯିବ । ସେଥିପାଇଁ ଡାଟାବେସ୍ ପ୍ରସ୍ତୁତ କରାଯାଉଛି । ଯାହାର ଯାହା କ୍ଷତି ହୋଇଛି ସେଥିପାଇଁ ନିୟମାବଳୀ ହିସାବରେ କ୍ଷତିପୂରଣ ଦିଆଯିବ । କେହି ଯଦି ବଞ୍ଚିତ ହୋଇଥାନ୍ତି ତେବେ ନିକଟସ୍ଥ ପଞ୍ଚାୟତ ଅଫିସ୍ କିମ୍ବା ନିକଟସ୍ଥ ବ୍ଲକ୍ ଅଫିସକୁ ଯାଇ ଜଣାଇପାରିବେ । କୌଣସି କେନ୍ଦ୍ରୀୟ ଟିମ୍ ଆସିବାର ଯୋଜନା ନାହିଁ । ଆବଶ୍ୟକ ହେଲେ କେନ୍ଦ୍ରକୁ ଅଧିକ ସହାୟତା ମାଗିବୁ । ଏବେ ସେକଥା ଚିନ୍ତା କରାଯାଇନି । କ୍ଷୟକ୍ଷତିର ଆକଳନ ପରେ ଜଣାପଡ଼ିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି ।

Breaking News