ରିପୋର୍ଟ କାର୍ଡ / ନୟାଗଡ଼
ପ୍ରଥମେ ଝିଅକୁ ବିଷାକ୍ତ ପଦାର୍ଥ ଖୁଆଇ ପରେ ନିଜେ ଝୁଲି ପଡ଼ିଲେ ବ୍ୟକ୍ତିଜଣକ । ଏଭଳି ହୃଦୟ ବିଦାରକ ଓ ଚାଞ୍ଚଲ୍ୟକର ଘଟଣା ଘଟିଛି ନୟାଗଡ଼ ସହର ଦେବୋତ୍ତର ଲେନ-୪ । ମୃତ ବାପଝିଅ ହେଲେ ପୁଲକ ବିଶ୍ୱାଳ ଓ ତାଙ୍କ ୫ ବର୍ଷର ଝିଅ ପଲକ ବିଶ୍ୱାଳ। ପତ୍ନୀ ଓ ଝିଅଙ୍କୁ ନେଇ ପୁଲକ ବିଶ୍ୱାଳଙ୍କ ସଂସାର ବେଶ ହସଖୁସିରେ ଚାଲିଥିଲା। ମାତ୍ର ଅଚାନକ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା । ଝିଅ କଥା ଚିନ୍ତାକରି ୩ ମାସ ପୂର୍ବେ ଦ୍ୱିତୀୟ ବିବାହ କରିଥିଲେ ପୁଲକ । ଗତ ସୋମବାର ପୁଲକଙ୍କ ଦ୍ୱିତୀୟ ପତ୍ନୀ ବାପ ଘରକୁ ଯାଇଥିଲେ । ବାପ ଘରେ ୨ ଦିନ ରହି ନୟାଗଡ଼ସ୍ଥିତ ସ୍ୱାମୀଙ୍କ ପାଖକୁ ଆସିବା ପରେ ଘର ଭିତରୁ କବାଟ ବନ୍ଦ ଥିଲା । ଭିତରୁ ତାଲା ପଡ଼ିଥିବା ଦେଖି ବହୁ ସମୟ ପର୍ଯ୍ୟନ୍ତ କବାଟ ବାଡେଇଥିଲେ। ପରେ ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ । ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନୟାଗଡ଼ ଟାଉନ ଥାନା ପୋଲିସ ବିଳମ୍ବିତ ରାତିରେ ପହଞ୍ଚି ତାଲା ଭାଙ୍ଗି ଘରେ ପଶିଥିଲା । ଘର ଭିତରେ ବାପାର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ୫ ବର୍ଷର ଝିଅର ମୃତଦେହ ବେଡ଼୍ରେ ପଡ଼ିରହିଥିବା ପୋଲିସ ଦେଖିବାକୁ ପାଇଥିଲା । ଝିଅକୁ କୌଣସି ବିଷାକ୍ତ ଖାଦ୍ୟ ଦେବା ପରେ ପୁଲକ ଆତ୍ମହତ୍ୟା କରିଥିବା ନେଇ ପୋଲିସ ଅନୁମାନ କରୁଥିବା ବେଳେ ସବୁଦିଗକୁ ନେଇ ତଦନ୍ତ ଜାରୀ ରଖିଛି। ଏଥିସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିବା ପରେ ପରିବାର ଲୋକଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାଯାଇଛି।
More Stories
ଦୁଷ୍କର୍ମ ପରେ ଶିଶୁକନ୍ୟାକୁ ହତ୍ୟା….
କାଳବୈଶାଖୀ ଓ୍ବାର୍ନିଂ,୫୦ରୁ ୬୦ କି.ମି.ବେଗରେ ପବନ…..
ଭୁବନେଶ୍ୱରର ଦୁଇ ଷ୍ଟେସନ ନିକଟରୁ ୨ ମୃତଦେହ ଉଦ୍ଧାର…..