ରିପୋର୍ଟ କାର୍ଡ / ଭୁବନେଶ୍ବର
କୋଭିଡ ମହାମାରୀ ପରେ ଦୀର୍ଘ ୯୮୨ ଦିନର ବ୍ୟବଧାନରେ ଆଇଏସ୍ଏଲ ଦଳ ଓଡ଼ିଶା ଏଫ୍ସି ନିଜର ଘରୋଇ ଗ୍ରାଉଣ୍ଡ କଳିଙ୍ଗ ଷ୍ଟାଡ଼ିୟମକୁ ଫେରିଛି। ଇଣ୍ଡିଆନ ସୁପରଲିଗ୍ ଅଷ୍ଟମ ସଂସ୍କରଣରେ ଓଡ଼ିଶା ଏଫ୍ସି କଳିଙ୍ଗ ଷ୍ଟାଡ଼ିୟମରେ ରବିବାର କେରଳ ବ୍ଲାଷ୍ଟର୍ସ ଏଫ୍ସି ସହିତ ଖେଳିବ। ଏଥିପାଇଁ ଓଡ଼ିଶା ଏଫ୍ସି ପ୍ରସ୍ତୁତ ଶେଷ କରିଛି। ଜୋଶେଫ ଗମ୍ବାଉଙ୍କ ନେତୃତ୍ବାଧିନ ଓଡ଼ିଶା ଏଫ୍ସି ଦୁଇଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହ ୩ ପଏଣ୍ଟ ପାଇଛି। ଓଡ଼ିଶା ଏଫ୍ସି ପ୍ରଥମ ମ୍ୟାଚରେ ଜାମସେଦପୁର ଏଫ୍ସିକୁ ୩-୨ ଗୋଲରେ ପରାସ୍ତ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ମୁମ୍ବଇ ସିଟି ଏଫ୍ସି ନିକଟରୁ ୦-୨ ଗୋଲରେ ପରାଜିତ ହୋଇଥିଲା। ଦଳ ୩ୟ ମ୍ୟାଚ କେରଳ ବ୍ଲାଷ୍ଟର୍ସ ବିପକ୍ଷରେ ଖେଳିବ। ଦଳରେ ଗୋଲରକ୍ଷକ ଅମରିନ୍ଦର ସିଂହ, ଓଡ଼ିଆ ଡିଫେଣ୍ଡର ଶୁଭମ ଷଡଙ୍ଗୀ, କାର୍ଲୋସ ଡେଲଗାଡୋ, ମିଡ୍ଫିଲଡର ସାଉଲ କିସ୍ପୋ, ଫରୱାର୍ଡ ଡିଏଗୋ ମୁରାସିଓ, ନନ୍ଦକୁମାର ଶେଖରଙ୍କ ଭଳି ଖେଳାଳି ରହିଛନ୍ତି। କଳିଙ୍ଗ ଷ୍ଟାଡ଼ିୟମ ଓଡ଼ିଶା ଏଫ୍ସିର ଘରୋଇ ପଡିଆ।ଏଠାରେ ଦଳ ବିଜୟଧାରାକୁ ଫେରିବା ନେଇ ବ୍ୟଗ୍ର ଅଛି ବୋଲି ଓଡ଼ିଶା ଏଫ୍ସି ମୁଖ୍ୟ ପ୍ରଶିକ୍ଷକ ଜୋଶେଫ ଗମ୍ବାଉ କହିଛନ୍ତି। କେରଳ ବ୍ଲାଷ୍ଟର୍ସ ପ୍ରଥମ ମ୍ୟାଚରେ ଇଷ୍ଟବେଙ୍ଗଲ ଏଫ୍ସିକୁ ୩-୧ ଗୋଲରେ ପରାସ୍ତ କରିଥିବା ବେଳେ ଦ୍ବିତୀୟ ମ୍ୟାଚରେ ଏଟିକେ ମୋହନବାଗାନ ନିକଟରୁ ୫-୩ ଗୋଲରେ ପରାଜିତ ହୋଇଥିଲା। ଉଭୟ ଦଳ ବର୍ତ୍ତମାନ ସମାନ ସ୍ଥିତିରେ ରହିଛନ୍ତି। ଆଇଏସ୍ଏଲରେ ଉଭୟ ଦଳ ୬ଥର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ କେରଳ ବ୍ଲାଷ୍ଟର୍ସ ଏଫ୍ସି ୨ଟି ଓ ଓଡ଼ିଶା ଏଫ୍ସି ଗୋଟିଏ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୩ଟି ମ୍ୟାଚ ଡ୍ର ରେ ଶେଷ ହୋଇଛି। କଳିଙ୍ଗ ଷ୍ଟାଡ଼ିୟମରେ ଓଡ଼ିଶା ଏଫ୍ସି ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ମ୍ୟାଚ ରବିବାର ରାତି ୭ଟା୩୦ରୁ ଖେଳାଯିବ ବୋଲି ସୂଚନା ମିଳିଛି ।






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ହକି ଇଣ୍ଡିଆ ଡିଜିଙ୍କୁ ଜବାବ ମାଗିଲେ ଦିଲୀପ…..
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….