Report Card Odisha

| Daily Odia News

ଭାରତ ଓ ଇଂଲଣ୍ଡ ଟ୍ବେଣ୍ଟି-୨୦ ସିରିଜ୍‌ର ନିର୍ଣ୍ଣାୟକ ମୁକାବିଲା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜ୍‌ର ଅନ୍ତିମ ତଥା ନିର୍ଣ୍ଣାୟକ ମୁକାବିଲା । ଆଜି ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଖେଳାଯିବ। ସିରିଜ୍‌ ୨-୨ରେ ବରାବର ରହିଥିବାରୁ ଟ୍ରଫି ହାତେଇବା ପାଇଁ ଉଭୟ ଦଳ ନିର୍ଣ୍ଣାୟକ ମୁକାବିଲାରେ ଅବତ୍ତୀର୍ଣ୍ଣ ହେବେ। ଉଭଳ ଦଳ ଟ୍ବେଣ୍ଟି-୨୦ ବିଶ୍ବକପ ପାଇଁ ପରୀକ୍ଷା ନିରୀକ୍ଷା କରୁଥିବାବେଳେ ସିରିଜ୍ ଉତ୍ଥାନ ଓ ପତନ ଦେଇ ଶେଷରେ ଚୂଡାନ୍ତ ଲଢେଇରେ ପହଞ୍ଚିଛି। ପ୍ରଥମ ମ୍ୟାଚରେ ଇଂଲଣ୍ଡ ବିଜୟ ପରେ ଦ୍ବିତୀୟ ମ୍ୟାଚରେ ଭାରତର ପ୍ରତ୍ୟାବର୍ତ୍ତନ ଓ ୩ୟ ମ୍ୟାଚରେ ଇଂଲଣ୍ଡର ବିଜୟ ପରେ ୪ର୍ଥ ମ୍ୟାଚରେ ଭାରତର ପୁନର୍ବାର ପ୍ରତ୍ୟାବର୍ତ୍ତନ ସିରିଜର ରୋମାଞ୍ଚକୁ ଅଧିକ ବଢାଇ ଦେଇଛି। ନିର୍ଣ୍ଣାୟକ ଲଢେଇ ପାଇଁ ଉଭୟ ଦଳ ପ୍ରସ୍ତୁତି ଓ ରଣନୀତି ଶେଷ କରିଛନ୍ତି। ଟେଷ୍ଟ ସିରିଜ୍‌ ବିଜୟ ପରେ ଘରୋଇ ଭାରତ ଧଳାବଲ ସିରିଜ୍‌ ପରାଜୟରୁ ଆରମ୍ଭ କରିଥିଲା। ସିରିଜ୍‌ର ପ୍ରଥମ ମ୍ୟାଚରେ ଇଂଲଣ୍ଡ ୮ ୱିକେଟରେ ବିଜୟୀ ହୋଇଥିଲା। ଦ୍ବିତୀୟ ମ୍ୟାଚରେ ଭାରତ ୭ ୱିକେଟରେ ବିଜୟୀ ହୋଇ ସିରିଜ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲା। ତୃତୀୟ ମ୍ୟାଚରେ ଇଂଲଣ୍ଡ ପୁନର୍ବାର ୮ ୱିକେଟ​ରେ ବିଜୟ ସହ ୨-୧ରେ ଆଗୁଆ ରହିଥିଲା। ଉକ୍ତ ୩ ମ୍ୟାଚର ଫଳାଫଳ ଟସ୍ ଜିତିବା ଦଳ ସପକ୍ଷରେ ଯାଇଥିଲା। ଏଥିରେ ରନ୍‌ ପିଛା କରିଥିବା ଦଳ ହିଁ ବିଜୟୀ ହୋଇଥିବାବେଳେ କୌଣସି ମ୍ୟାଚ ଶେଷ ଓଭର ପର୍ଯ୍ୟନ୍ତ ଯାଇନଥିଲା। ପ୍ରଥମ ୩ଟି ମ୍ୟାଚ ଏକତରଫା ଭାବେ ଶେଷ ହୋଇଥିଲା। ୪ର୍ଥ ମ୍ୟାଚରେ ଭାରତ ଧାରା ଭାଙ୍ଗିବା ସହିତ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା। ପ୍ରଥମେ ବ୍ୟାଟିଂ କରି ଏକ ସମ୍ମାନଜନକ ରନ୍‌ କରିଥିଲେ ମଧ୍ୟ ଇଂଲଣ୍ଡ ଦୃଢତାର ସହିତ ପିଛା କରି ୮ରନରେ ପରାଜିତ ହୋଇଥିଲା। ଉକ୍ତ ମ୍ୟାଚ ଶେଷ ବଲ ପର୍ଯ୍ୟନ୍ତ ଯାଇଥିବାବେଳେ ସଂଘର୍ଷପୂର୍ଣ୍ଣ ମଧ୍ୟ ହୋଇଥିଲା। ସିରିଜ୍‌ ୨-୨ରେ ବରାବର ରହିଥିବାରୁ ଶନିବାର ମ୍ୟାଚ ଉଭୟ ଇଂଲଣ୍ଡ ଓ ଭାରତ ପାଇଁ ଗୁରୁତ୍ବ ବହନ କରୁଛି।

Breaking News