ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସିଲା କଟକ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ । ବୋହୂ ସାକ୍ଷୀ ମହତାବ ଭର୍ତ୍ତୃହରି, ତାଙ୍କ ପତ୍ନୀ ଓ ପୁଅଙ୍କ ନାଁରେ ଯୌତୁକ ନିର୍ଯାତନା ତଥା ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ମଧ୍ୟପ୍ରଦେଶ ଭୋପାଳର ମହିଳା ଥାନାରେ ଏତଲା ଦେଇଛନ୍ତି । ଭର୍ତ୍ତୃହରିଙ୍କ ନାଁରେ ଅଭିଯୋଗ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ବିବାହ ସମୟରେ ବାପା ୧.୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି, କିନ୍ତୁ ତଥାପି ଏଥିରେ ଶ୍ୱଶୁର ଘର ଲୋକ ସନ୍ତୁଷ୍ଟ ନୁହଁନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବୋହୂ । ହେଲେ ବିବାହ ପରେ ଅଧିକ ଯୌତୁକ ଆଣିବାକୁ ଶାଶୂ ଘର ଲୋକେ ନିର୍ଯାତନା ଦେଉଥିଲେ । ଏମିତିକି କଟକସ୍ଥିତ ଘରୁ ବାହାର କରି ଦେଇଥିଲେ । ଅନେକ ଥର ପରିବାର ଏବଂ ସମ୍ପର୍କୀୟଙ୍କ ମାଧ୍ୟମରେ ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା, କିନ୍ତୁ କୌଣସି ସମସ୍ୟାର ସମାଧାନ ହୋଇନପାରିବାକୁ ମାମଲା କୋର୍ଟରେ ପହଞ୍ଚିଛି । ସୂଚନା ଅନୁସାରେ-୨୦୧୮ ମସିହାରେ ଏ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବୋହୂ । ସାକ୍ଷୀଙ୍କୁ ଭର୍ତ୍ତୃହରି ତାଙ୍କ ନୂଆଦିଲ୍ଲୀ ସ୍ଥିତ ଘରେ ରହିବାକୁ ଅନୁମତି ଦେବାକୁ କୋର୍ଟ କହିଥିଲେ । ହେଲେ ତାସତ୍ତ୍ୱେ ସାକ୍ଷୀଙ୍କୁ ଶାଶୂ ଘର ଲୋକେ ଗ୍ରହଣ କରିନଥିଲେ କି ଘରେ ରଖି ନଥିବା ଥାନାରେ ଅଭିଯୋଗ କରିଛନ୍ତି ବୋହୂ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଓ ଖୁବଶୀଘ୍ର ମହତାବଙ୍କ ପରିବାରକୁ ନୋଟିସ୍ ପଠାଇବ ବୋଲି କହିଛି । ସେପଟେ ତାଙ୍କ ପୁଅର ବିବାହ-ବିଚ୍ଛେଦ ମାମଲା ୨ବର୍ଷ ହେଲା ଦିଲ୍ଲୀ କୋର୍ଟରେ ବିଚାରାଧୀନ ରହିଛି ବୋଲି ନିଜ ପ୍ରତିକ୍ରିୟାରେ ଭର୍ତ୍ତୃହରି ମହତାବ କହିଥିବା ଉକ୍ତ ଖବରରେ ପ୍ରକାଶିତ ହୋଇଛି । ସାଂସଦ ଭର୍ତ୍ତୃହରିଙ୍କ ମହତାବଙ୍କ ବୋହୂ ଭୋପାଳରେ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ସମେତ ଅନେକ ଧାରାରେ କେସ୍ ଦାଏର୍ କରିଛନ୍ତି ।
Discussion about this post