Report Card Odisha

| Daily Odia News

ଅଗ୍ନିଶମ କର୍ମଚାରୀଙ୍କୁ ମିଳିବ ୫୮୦୦ ଟଙ୍କା ୟୁନିଫର୍ମ ଭତ୍ତା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ସରକାର ଅଗ୍ନିଶମ ବାହିନୀରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ପାଇଁ ୟୁନିଫର୍ମ ଭତ୍ତା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଗ୍ନିଶମ ବାହିନୀ ଅଧିନରେ କାର୍ଯ୍ୟରତ ସବୁ ବର୍ଗର କର୍ମଚାରୀଙ୍କୁ ଏହି ବାର୍ଷିକ ଭତ୍ତା ମିଳିବ। ଗୃହ ବିଭାଗ ପକ୍ଷରୁ ସୋମବାର ଜାରି ବିଜ୍ଞପ୍ତି ଅନୁସାରେ, ଅଗ୍ନିଶମ ସେବା ନିର୍ଦ୍ଦେଶାଳୟ ଅଧୀନରେ କାର୍ଯ୍ୟରତ ସହକାରୀ ଆଗ୍ନିକ ଅଧିକାରୀ, ଷ୍ଟେସନ ଅଫିସର, ଫିଲଟର ସେକ୍ସନ ଅଫିସର, ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର, ହାବିଲଦାର ମେଜର ଓ ଫାୟାରମ୍ୟାନ, ଫାୟାରମ୍ୟାନ ଡ୍ରାଇଭର, ହେଲପର ଫାୟାରମ୍ୟାନ ଏଣିକି ବାର୍ଷିକ ୫୭୦୦ ଟଙ୍କା ଭତ୍ତା ୟୁନିଫର୍ମ ବାବଦରେ ପାଇବେ। ସେହିପରି ଅଗ୍ରଣୀ ଫାୟାରମ୍ୟାନ୍ , ଡ୍ରାଇଭର ହାବିଲଦାର, ହାବିଲଦାର ମେକାନିକଙ୍କୁ ବାର୍ଷିକ ୫୮୦୦ ଟଙ୍କା ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ବାର୍ଷିକ ୨ହଜାର ଟଙ୍କା ୟୁନିଫର୍ମ ଭତ୍ତା ମିଳିବ। ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ଭତ୍ତା ନିମନ୍ତେ ବଜେଟରେ ୨.୦୦୪ କୋଟି ଟଙ୍କାର ବଜେଟ୍ ପ୍ରସ୍ତାବ ରହିଛି। ଏହି ଭତ୍ତା ପ୍ରତିବର୍ଷ ଜୁଲାଇରେ ମଞ୍ଜୁର କରାଯିବ। ଯେଉଁ କର୍ମଚାରୀଙ୍କର ଜୁଲାଇ ସୁଦ୍ଧା ଅବସର ନେବାକୁ ଆଉ ୬ମାସ ବାକି ଥିବ ସେମାନେ ଏହି ଭତ୍ତା ସମ୍ପୃକ୍ତ ବର୍ଷ ପାଇଁ ପାଇବେନାହିଁ । ଏହି ୟୁନିଫର୍ମରେ ସମାନତା ପାଇଁ ଅଗ୍ନିଶମ ନିର୍ଦ୍ଦେଶାଳୟ ସମସ୍ତ ଅଫିସର ଓ କର୍ମଚାରୀଙ୍କ ପାଇଁ ନିର୍ଦ୍ଧାରିତ ବିସ୍ତୃତ ଡ୍ରେସ କୋଡ୍ ଜାରି କରିବ। ଏହି ୟୁନିଫର୍ମ ଭତ୍ତାକୁ କର୍ମଚାରୀ କେବଳ ଏହି ୟୁନିଫର୍ମ ନିମନ୍ତେ ଉପଯୋଗ କରିବେ ବୋଲି ଏକ ଲିଖିତ ରାଜିନାମା ଦେବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

 

Breaking News