Report Card Odisha

| Daily Odia News

ପୂର୍ବତନ ଉପଜିଲ୍ଲାପାଳ ପ୍ରଶାନ୍ତଙ୍କୁ ୪ବର୍ଷ ଜେଲ୍…..

ରିପୋର୍ଟ କାର୍ଡ / ନବରଙ୍ଗପୁର

ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ନବରଙ୍ଗପୁରର ପୂର୍ବତନ ଉପଜିଲ୍ଲାପାଳ ତଥା ଓଏଏସ୍ ପ୍ରଶାନ୍ତ ରାଉତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ ୪ବର୍ଷ ସଶ୍ରମ ଜେଲ୍ ଓ ୫୦ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଏହି ମାମଲାରେ ପ୍ରଶାନ୍ତ ରାଉତଙ୍କୁ ଜେଲ୍ ପଠାଇ ଦିଆଯାଇଛି । ପୂର୍ବରୁ ରାଜ୍ୟ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇସାରିଛନ୍ତି । ସୂଚନା ଅନୁସାରେ, ୨୦୧୮ ନଭେମ୍ବର ୫ ତାରିଖରେ ସମ୍ବଲପୁର ଭିଜିଲାନ୍ସ ଥାନାର ଏକ ମାମଲାରେ ସୁନ୍ଦରଗଡ଼ର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ଆଜି ଶ୍ରୀ ରାଉତଙ୍କୁ ୪ବର୍ଷ ସଶ୍ରମ ଜେଲ୍ ସହ ୫୦ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଶ୍ରୀ ରାଉତ ବିର୍ସା ବ୍ଲକ ବିଡିଓ ଥିବାବେଳେ ୪ର୍ଥ ରାଜ୍ୟ ଅର୍ଥ କମିଶନ ଓ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ୪ଟି ପ୍ରକଳ୍ପର ଅନୁମୋଦନ ପାଇଁ ୧ଲକ୍ଷ ଟଙ୍କା ଲାଂଚ ଦାବି କରିବା ଘଟଣାରେ ୨୦୧୮ ନଭେମ୍ବର ମାସରେ ଭିଜିଲାନ୍ସ ତାଙ୍କୁ ଲାଂଚ ଟଙ୍କା ସହ ଧରିଥିଲା ଓ ଗିରଫ କରି ଜେଲ୍ ପଠାଇଥିଲା । ଏହି ପୁରୁଣା ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି । ସେହିପରି ୨୦୨୩ ଜୁନ୍ ମାସରେ ଶ୍ରୀ ରାଉତ ନବରଙ୍ଗପୁରର ଉପଜିଳ୍ଲାପାଳ ଥିବାବେଳେ ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘର ଓ ଅଫିସ ଆଦିରେ ଚଢ଼ଉ କରି ୩.୦୨କୋଟିର ନଗଦ ଟଙ୍କା ଜବତ କରିଥିଲା । ଏହି ଘଟଣାରେ ମଧ୍ୟ ତାଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା। ପରେ ସେ ଜାମିନରେ ଆସିଥିଲେ ଓ ରାଜ୍ୟ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ମଧ୍ୟ ଦେଇଥିଲେ। ଏବେ ପୁରୁଣା କେସରେ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବପରେ ତାଙ୍କୁ ପୁଣିଥରେ ଗିରଫ କରି ଜେଲ୍ ପଠାଇ ଦିଆଯାଇଛି । ଏହାସହିତ ଭିଜିଲାନ୍ସ ବିଭାଗ ମଧ୍ୟ ତାଙ୍କ ପେନସନ୍ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇବ ବୋଲି ସୂଚନା ମିଳିଛି ।

Breaking News