Report Card Odisha

| Daily Odia News

ଓଡଗାଁ ହତ୍ୟା ଘଟଣାରେ ୪ ଗିରଫ……

ରିପୋର୍ଟ କାର୍ଡ / ନୟାଗଡ଼

ଓଡଗାଁ ସହରର କଦଳୀବନ୍ଧରେ ଯୁବକଙ୍କୁ ହତ୍ୟା ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରିଛି । ଏହାସହିତ ହତ୍ୟାକାଣ୍ତରେ ବ୍ୟବହୃତ ଖଣ୍ଡା ଏବଂ ଗୋଟିଏ କାର୍ ଜବତ ହୋଇଛି। ଆଜି ପ୍ରେସମିଟ୍ କରି ଏହି ସୁଚନା ଦେଇଛନ୍ତି ଆଇଜି ସତ୍ୟଜିତ ନାୟକ । ହତ୍ୟାକାଣ୍ତ ୨୪ଘଣ୍ଟା ମଧ୍ୟରେ ପୋଲିସ ୪ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟମାନଙ୍କ ଅତିଶୀଘ୍ର ଧରାଯିବ ବୋଲି ସେ କହିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ପୂର୍ଣ୍ଣଚନ୍ଦ୍ର ନାୟକ,ମହନ୍ତ ନାୟକ,ମାନସ ସାହୁ ଏବଂ ଶ୍ରୀଧର ସାହୁ।ଘଟଣାର ମୁଖ୍ୟ ଅଭିଯୁକ୍ତ ମହନ୍ତ ଏବଂ ପୂର୍ଣ୍ଣଚନ୍ଦ୍ର ବୋଲି ପୋଲିସ କହିଛି।ଘଟଣା ଦିନ ରାତିରେ କଦଳୀବନ୍ଧ ସାହିକୁ ଦୁଇଟି ଟ୍ରକରେ ମାଙ୍କଡା ପଥର ଆସିଥିବାବେଳେ ମୃତକ ଅଜିତ୍ ଏବଂ ତାଙ୍କ ବନ୍ଧୁ ସନ୍ତୋଷ ପ୍ରଧାନ ଗାଡିକୁ ଅଟକାଇଥିଲେ। ଗାଡିର ଡ୍ରାଇଭର ସହ ସେମାନଙ୍କ ପାଟିତୁଣ୍ଡ ହେବାପରେ ଡ୍ରାଇଭର ଫୋନ ମାଧ୍ୟମରେ ଅଭିଯୁକ୍ତମାନଙ୍କୁ ଡାକିଥିଲେ।ପୂର୍ଣ୍ଣଚନ୍ଦ୍ର ଏବଂ ତାଙ୍କର ୫ଜଣ ସହଯୋଗୀ ଏକ କାରରେ ଘଟଣାସ୍ଥଳକୁ ଆସିବା ପରେ ସେମାନଙ୍କ ସହ ମଧ୍ୟ ଅଜିତଙ୍କ ପାଟିତୁଣ୍ଡ ଏବଂ ଠେଲାପେଲା ହୋଇଥିଲା।ଏଥିରେ ଉତକ୍ଷିପ୍ତ ହୋଇ ପୂର୍ଣ୍ଣଚନ୍ଦ୍ର ଏବଂ ମହନ୍ତ ଏକ ଖଣ୍ଡାରେ ଅଜିତଙ୍କୁ ଅତି ନିର୍ମମଭାବେ ହାଣି ଦେଇଥିଲେ । ଘଟଣାସ୍ଥଳରେ ଅଜିତଙ୍କ ମୃତ୍ୟୁ ହୋଇଥିବାବେଳେ ସନ୍ତୋଷ ଘଟଣାସ୍ଥଳରୁ ଖସି ପଳାଇଯାଇଥିଲେ। ମୃତକ ଅଜିତ ଏବଂ ସନ୍ତୋଷ ବିଭିନ୍ନ ସମୟରେ ମାଙ୍କଡା ପଥର ବୋଝେଇ ଗାଡି ଅଟକାଇ ଟଙ୍କା ଆଦାୟ କରୁଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି।ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୪ଜଣଙ୍କୁ ଗିରଫ କରିଥିବାବେଳେ ବ୍ୟବହୃତ ଖଣ୍ଡାକୁ ଢେଙ୍କାନାଳ ଜିଲ୍ଲାର ଭାପୁର ଜଙ୍ଗଲରୁ ଜବତ କରିଛି।ଆସନ୍ତାକାଲି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ । ଆଜିର ପ୍ରେସମିଟ୍ ସମୟରେ ଗିରଫ ହୋଇଥିବା ଶ୍ରୀଧର ମୁଁ ନିର୍ଦ୍ଦୋଷ ମତେ ଫସାଇଦିଆଯାଇଥିବା ପାଟି କରି କହିଥିଲା ।

Breaking News