ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ପୋଲିସ ୪ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏହି ସନ୍ଦିଗ୍ଧମାନଙ୍କର ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ସହ ସମ୍ପର୍କ ଥିବା ପୋଲିସ କହିଛି। ପଞ୍ଜାବରୁ ୩ ଓ ଦିଲ୍ଲୀରୁ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଏହି ସନ୍ଦିଗ୍ଧମାନେ ଦିଲ୍ଲୀ-ଏନ୍ସିଆର୍ରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଥିଲେ। ପାକିସ୍ତାନ ବାସିନ୍ଦା ସାହାଜାଦ୍ ଭଟ୍ଟିର ନିର୍ଦେଶରେ ଏମାନେ ପରିଚାଳିତ ହେଉଥିଲେ।ସନ୍ଦିଗ୍ଧ ଶୁଭଦୀପ ସିଂହକୁ ତରନତାରନ, ଗୁରଜାଣ୍ଟ ସିଂହ, ସାଜନ ସିଂହଙ୍କୁ ଅମୃତସର ଓ ଗଗନପ୍ରୀତକୁ ଫତେଗଡ଼ ସାହିବରୁ ଗିରଫ କରାଯାଇଥିଲା। ସେମାନଙ୍କ ଠାରୁ ଦୁଇଟି ବିଦେଶୀ ବନ୍ଧୁକ, ଗୋଟିଏ ଜିଗନା ପିସ୍ତଲ, ଗୁଳି, ୫ଟି ମୋବାଇଲ ଜବତ କରାଯାଇଛି। ପାକିସ୍ତାନ ପଟରୁ ଡ୍ରୋନ ଦ୍ବାରା ନିଶାଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ଭାରତକୁ ପଠାଯାଉଥିବା ବେଳେ ଶୁଭଦୀପ ସେଗୁଡ଼ିକୁ ସଂଗ୍ରହ କରୁଥିଲା। ପୂର୍ବରୁ ଶୁଭଦୀପ ଓ ସାଜନ ନିଶା କାରବାର ମାମଲାରେ ଗିରଫ ହୋଇଥିଲେ। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସ ପ୍ରଥମେ ଶୁଭଦୀପ୍ ଗିରଫ କରିଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଗିରଫ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି। ସୂଚନାଥାଉ କି ଗତ ଜୁନ୍ ୧୬ରେ ଦିଲ୍ଲୀ ପୋଲିସ ପାକିସ୍ତାନ ଆତଙ୍କବାଦୀ ସଂଗଠନ ସହ ସଂପର୍କ ରଖିଥିବା ୭ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୫ଟି ପିସ୍ତଲ, ୪୧ଟି ଗୁଳି ଓ ୭ଟି ମୋବାଇଲ ଫୋନ୍ ଜବତ କରାଯାଇଥିଲା।






More Stories
ଯୁବଶକ୍ତି ଦେଶର ସବୁଠୁ ମୂଲ୍ୟବାନ ସମ୍ପତ୍ତି…..
“ଆଜି,ଭାରତ ଏକ ସ୍ଥିର ସରକାର ସହିତ ବିଶ୍ୱ ସ୍ତରରେ ପ୍ରଗତି କରୁଛି……
BCIକୁ CJIଙ୍କ ପରାମର୍ଶ…..