Report Card Odisha

| Daily Odia News

ଆଜିଠୁ ଆଇପିଏଲ୍, ମୁମ୍ବାଇ ଓ ବାଙ୍ଗାଲୋର କଡା ଟକ୍କର….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜିଠୁ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ଆରମ୍ଭ ହେଉଛି। କରୋନା କଟକଣା ଭିତରେ ଆଜିଠୁ ଆରମ୍ଭ ହେଉଛି ଇଣ୍ଡିଆନ୍ ପ୍ରିମିୟର ଲିଗର ଚତୁର୍ଦ୍ଦଶ ସଂସ୍କରଣ । ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ ପରେ ମେ ୩୦ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମ୍ୟାଚ୍। ୫୧ ଦିନ ଚାଲିବାକୁ ଥିବା ଏହି ମେଗା ଇଭେଣ୍ଟରେ ୬୦ଟି ମ୍ୟାଚ୍ ଖେଳାଯିବ। କରୋନା ପାଇଁ ଏ ବର୍ଷ ଫଟାଫଟ କ୍ରିକେଟରେ ଚିୟରଲିଡର ଓ ଦର୍ଶକଙ୍କୁ ଦେଖିବାକୁ ମିଳିବ ନାହିଁ। ତଥାପି ଆଶା ଓ ଆଶଙ୍କାରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ପୂର୍ବଭଳି ଏଥର ବି ବିନା ଦର୍ଶକରେ ଖେଳିବେ ଷ୍ଟାର ଖେଳାଳୀ । ବିସିସିଆଇ ପାଇଁ କିନ୍ତୁ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି କରୋନାମୁକ୍ତ ଆଇପିଏଲ୍ ଆୟୋଜନ । ଖୋଦ୍ ଖେଳାଳି ବି ମାନସିକ ରୂପେ ନିଜକୁ ପ୍ରସ୍ତୁତ କରୁଛନ୍ତି । ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଖେଳାଳିମାନେ ସଂକ୍ରମଣର ଶିକାର ହୋଇଛନ୍ତି । ସେପଟେ ଲିଗ୍‌ର ପ୍ରଥମ ମ୍ୟାଚ୍‌ରେ ଆଜି ଦେଖିବାକୁ ମିଳିବ କଡ୍ଡା ଟକ୍କର । ମୁହାଁମୁହିଁ ହେବେ ୨ ଦମଦାର ଟିମ୍ । ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ ଫାଇଟ୍ । ସଂଧ୍ୟା ୭ଟା ୩୦ରୁ ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଖେଳାଯିବ ମ୍ୟାଚ୍ । ଖେଳାଳି, ଅଧିକାରୀ, ପ୍ରଶଂସକ ସମସ୍ତେ ଏଥିଲାଗି ପ୍ରସ୍ତୁତ ଅଛନ୍ତି ।

Breaking News