Report Card Odisha

| Daily Odia News

ଆଜିଠୁ ଘରେ ଘରେ ତ୍ରିରଙ୍ଗା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ତ୍ରିରଙ୍ଗାର ତିନି ରଙ୍ଗ ଆମକୁ ଶ୍ରଦ୍ଧା ଓ ସୌହାର୍ଦ୍ୟର ଆଦର୍ଶରେ ଅନୁପ୍ରାଣିତ କରିଥାଏ। ଜାତୀୟ ପତାକା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୂକସାକ୍ଷୀ। ଏହା ମଧ୍ୟ ରାଷ୍ଟ୍ରୀୟ ଏକତା, ସହିଷ୍ଣୁତା ଓ ବନ୍ଧୁତାର ପ୍ରତୀକ। ତେଣୁ ସ୍ବାଧୀନତାର ସ୍ମୃତି ରୋମନ୍ଥନ ସହିତ ଜାତୀୟତାବାଦର ଆବେଗ ଉଦ୍ରେକ ନେଇ ଆସନ୍ତା ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ଘର ଘର ତ୍ରିରଙ୍ଗା ଅଭିଯାନ ଅନୁଷ୍ଠିତ ହେବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂସ୍କୃତି ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ସୂଚନା ଦେଇଛନ୍ତି। ଏହି ଉତ୍ସବ ପାଳନ କରିବା କେବଳ ସରକାରଙ୍କ କାମ ନୁହେଁ; ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏଥିରେ ସମସ୍ତେ ସାମିଲ ହେବାକୁ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ଆହ୍ବାନ ଦେଇଛନ୍ତି।ମନ୍ତ୍ରୀ କହିଛନ୍ତି, ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜଧାନୀ ଭୁବନେଶ୍ବରରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଏଥିପାଇଁ ପ୍ରତି ଜିଲାକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯାଇଛି। ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଅଧୀନରେ ଥିବା ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ଦ୍ୱାରା ୬୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରାଯାଇ ବଣ୍ଟନ କରାଯିବ। ଏଥିରେ ୧୦୫୩ ସ୍ବୟଂ ସହାୟକ ଗୋଷ୍ଠୀ ସାମିଲ ହେବେ ଏବଂ ଏନେଇ ସଂସ୍କୃତି ବିଭାଗ ପକ୍ଷରୁ ମିଶନ ଶକ୍ତି ବିଭାଗକୁ ୧୫କୋଟି ଟଙ୍କା ଦିଆଯାଇଛି। ଏପର୍ଯ୍ୟନ୍ତ ପ୍ରାୟ ୪୫ ଲକ୍ଷ ପତାକା ତିଆରି ସରିଛି। ଅଗଷ୍ଟ ୯ ତାରିଖରେ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ‘ତ୍ରିରଙ୍ଗା ରାଲି’ ଆୟୋଜିତ ହେବ। ଏହା ହାତିଆଶୁଶି ପଡ଼ିଆରୁ ଲୁମ୍ବିନୀ ବିହାର ରୋଡ୍‌ ପର୍ଯ୍ୟନ୍ତ କରାଯିବ। ସେହିପରି, ଅଗଷ୍ଟ ୧୪ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରାଯିବ। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ବିଭାଜନ ବିଭୀଷିକା ସ୍ମୃତିକୁ ଆଧାର କରି ଫଟୋଚିତ୍ର ପ୍ରଦର୍ଶନୀ, କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ ହେବା ସହ ନାଟକ ପରିବେଷଣ କରାଯିବ। ବିଭାଜନ ସମୟରେ ପ୍ରଭାବିତ ପରିବାରବର୍ଗଙ୍କୁ ନିମନ୍ତ୍ରଣ କରାଯାଇ ସେମାନଙ୍କର ଅନୁଭୂତି ଶୁଣିବା ସହ ସେମାନଙ୍କୁ ସମ୍ମାନିତ କରାଯିବ। ସଭାକାର୍ଯ୍ୟ ଶେଷରେ ନିରବ ମହମବତି ଶୋଭାଯାତ୍ରାର ଆୟୋଜନ କରାଯିବ। ଅଗଷ୍ଟ ୧୫ରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ କରାଯିବ। ସେହିପରି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଦେଶାତ୍ମବୋଧ ସଙ୍ଗୀତ କାର୍ଯ୍ୟକ୍ରମ ‘ଭାରତୀୟମ’ ଆୟୋଜିତ ହେବ। ଏଥିରେ ‘ବନ୍ଦେ ମାତରମ୍’ର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ କନସର୍ଟର ଆୟୋଜିତ ହେବ। ଏହାସହ ବାଲୁକାକଳା, ବିଶାଳ ରଙ୍ଗୋଲି ପ୍ରଦର୍ଶନୀ ସହ ‘ସେଲଫି ୱିଥ ତ୍ରିରଙ୍ଗା’ କରାଯିବ। ଅଗଷ୍ଟ ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ସମସ୍ତ ଜନସାଧାରଣ ତ୍ରିରଙ୍ଗା ସହ ନିଜର ସେଲ୍ଫି ଉଠାଇ ନିଜର ଫଟୋକୁ ହର ଘର ତ୍ରିରଙ୍ଗା ୱେବସାଇଟରେ ଅପଲୋଡ୍‌ କରି ନିଜର ଡିଜିଟାଲ ପ୍ରମାଣପତ୍ର ଡାଉନଲୋଡ୍‌ କରିପାରିବେ। ଏଥିସହ ‘ମାଇଁ ଗଭ୍‌’ ପୋର୍ଟାଲରେ ମଧ୍ୟ ଅନଲାଇନ୍‌ କୁଇଜ୍‌ ପ୍ରତିଯୋଗିତାର ଆୟୋଜନ କରାଯିବ। ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେବା ସହ ଅନଲାଇନ କୁଇଜ୍‌ରେ ଅଂଶଗ୍ରହଣ କରିବେ |

Breaking News