ରିପୋର୍ଟ କାର୍ଡ / ଗଂଜାମ
ରାଜ୍ୟରେ ଆଜି ସର୍ବାଧିକ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଆଜି ଗଞ୍ଜାମ ଜିଲ୍ଲାରୁ ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି । ସୁରତ ଓ ମୁମ୍ବାଇରୁ ଫେରୁଥିବା ଲୋକମାନଙ୍କୁ ୭ ଦିନ ହୋମ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ । ମାସ୍କ ବ୍ୟବହାରକୁ କଡ଼ାକଡ଼ି କରାଯାଇଛି। ହଟସ୍ପଟ ଅଞ୍ଚଳରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯିବ। ବାହାର ଅଞ୍ଚଳରୁ ଆସିଲେ ଆରଟିପିସିଆର ଟେଷ୍ଟର ସାର୍ଟିଫିକେଟ ଆଣିବା ବାଧ୍ୟତାମୂଳକ। ରାଜ୍ୟ ବାହାରୁ ଯାନିଯାତ୍ରା ପାଇଁ ଆସିପାରିବେନି ଲୋକେ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚାଇ ଦିଆଯାଇଛି । କେବଳ ସ୍ୱାସ୍ଥ୍ୟଜନିତ ସମସ୍ୟା ଥିଲେ ନିଜ ନିଜ ଆରଟିପିସିଆର ସାର୍ଟିଫିକେଟ ଧରି ଆସିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅନୁରୋଧ କରିଛନ୍ତି। ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନେ ୭ ଦିନ ହୋମ କ୍ୱାରେଣ୍ଟାଇନରେ ରହିବେ ବୋଲି ସେ କହିଛନ୍ତି। ଏଣେ ଜିଲ୍ଲାରେ ହୋଲି ଓ ଦୋଳଯାତ୍ରା ଉପରେ କଟକଣା ଲଗାଇଛି ପ୍ରଶାସନ। କେବଳ ମନ୍ଦିର ଭିତରେ ଠାକୁରଙ୍କ ରୀତିନୀତି ଅନୁଯାୟୀ ହେବ ପୂଜାର୍ଚ୍ଚନା। ସର୍ବ ସାଧାରଣ ସ୍ଥାନରେ ଖେଳାଯାଇପାରିବନି ହୋଲି ଖେଳ । ନିଜ ନିଜ ଘରେ ହୋଲି ଖେଳିପାରିବେ ଲୋକେ। ସେହିପରି ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା ମଧ୍ୟ ମାଆଙ୍କ ରିତିନିତି ଅନୁଯାୟୀ ପୂଜାର୍ଚ୍ଚନା ହେବ। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ କୋଭିଡ୍ ନିୟମ ପାଳନ ହେଉଛି କି ନାହିଁ ତାହାର ତଦାରଖ କରିବେ ବିଡିଓ, ତହସିଲଦାର ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀମାନେ। ଲୋକେ ସତର୍କତା ଅବଲମ୍ବନ ନ କଲେ କିମ୍ବା କୋଭିଡ୍ କଟକଣା ନ ମାନିଲେ ଅନ୍ୟ ରାଜ୍ୟ ଭଳି ପୁଣି ଥରେ ଲକଡାଉନ ଏବଂ ସଟଡାଉନ ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାନୀୟ ଜଳର ସୁବ୍ୟବସ୍ଥା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା ସହ ଶ୍ରମିକମାନେ ଅଂଶୁଘାତରେ ମୁକ୍ତି ପାଇବେ, ସେଥିପାଇଁ ସୁବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଲୋଚନା ହୋଇଛି।






More Stories
ରୁପା ଆମଦାନୀ ଉପରେ କଟକଣା……
ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା…..
୨୬ରେ ମୌସୁମୀ ଛୁଇଁବ କେରଳ!…..