Report Card Odisha

| Daily Odia News

ଟ୍ୱିଟର ଓ ସରକାର ମୁହାଁମୁହିଁ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମିଥ୍ୟା ଓ ଆପତ୍ତିଜନକ ମେସେଜ୍କୁ ରୋକିବା ଲାଗି କେନ୍ଦ୍ର ସରକାର ଅଣିଥିବା ନୂଆ ନିୟମ ଗତକାଲି ଠାରୁ ଲାଗୁ ହୋଇଛି । ସୋସିଆଲ ମିଡିଆ ଏହି ନୂଆ ଗାଇଡଲାଇନକୁ ନେଇ ଟ୍ୱିଟର ଓ ସରକାର ମୁହାଁମୁହିଁ । କେନ୍ଦ୍ର ସରକାର କଡ଼ା ଶବ୍ଦରେ ଟ୍ୱିଟର ପକ୍ଷରୁ ଦିଆଯାଇଥିବା ବୟାନର ଜବାବ ଦେଇଛନ୍ତି । ଆଇଟି ମନ୍ତ୍ରଣାଳୟ ପକ୍ଷରୁ ତିଆରି ହୋଇଥିବା ଗାଇଡଲାଇନ୍ ପାଳନ କରିବା ବାଧ୍ୟତାମୂଳକ ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏପଟ ସେପଟ କଥା ବନ୍ଦ କରିବା ସହ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁପାଳନ କରିବାକୁ ଟ୍ୱିଟରକୁ କୁହାଯାଇଛି । ଟ୍ୱିଟର କେବଳ ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ । ନିୟମ ଓ ନୀତି ତିଆରି କରିବା ଦେଶର ଏକ ବିଶେଷ ଅଧିକାର । ଏଥିପାଇଁ ଭାରତର ନୀତିନିୟମ କ’ଣ ହେବ, ସେ ସମ୍ପର୍କରେ ଦଖଲ ଦେଇପାରିବ ନାହିଁ ଟ୍ୱିଟର । ଟ୍ୱିଟର ବୟାନ୍‌, ବିଶ୍ୱର ସବୁଠାରୁ ଗଣତନ୍ତ୍ର ଉପରେ ନିଜର ସର୍ତ୍ତ ଲଦିଦେବା ଉଦ୍ୟମ ପରି ଲାଗୁଛି । ଭାରତର ଲିଗାଲ ସିଷ୍ଟମକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛି ଟ୍ୱିଟର । ଭାରତର ନୂଆ ସୋସିଆଲ ଗାଇଡଲାଇନ୍ ବିରୋଧରେ ଯାଇ ବୟାନ ଦେଇଥିଲା ଟ୍ୱିଟର । ଅପରାଧିକ ଗତିବିଧିକୁ ରୋକିବା ପାଇଁ ସରକାର ତିଆରି କରିଥିବା ନିୟମ ପାଳନ ନକରିବାକୁ କମ୍ପାନୀ ପକ୍ଷରୁ କୁହାଯାଇଥିଲା । ସେପଟେ ଟ୍ୱିଟରର ଅଭିଯୋଗକୁ ସରକାର ମିଥ୍ୟା ଏବଂ ଭିତ୍ତିହୀନ ବୋଲି କହିଛନ୍ତି ଏବଂ ଭାରତକୁ ବଦନାମ କରିବା ପାଇଁ ଷଡଯନ୍ତ୍ର ବୋଲି କୁହାଯାଇଛି । ନିଜ କାର୍ଯ୍ୟାଳୟରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ ଭାରତ ସରକାରଙ୍କ ଧମକ ରଣନୀତି ବୋଲି କହିଥିଲା ଟ୍ୱିଟର । ଏନେଇ ଆଇଟି ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା, ଭାରତରେ ଥିବା ସମସ୍ତ ସୋସିଆଲ ମିଡିଆର ପ୍ରତିନିଧି ସୁରକ୍ଷିତ ରହିବେ , ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଉପରେ କୌଣସି ଆଞ୍ଚ ଆସିବ ନାହିଁ । ସେପଟେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଦିଲ୍ଲୀ ହାଇକୋର୍ଟରେ ଫେରାଦ ହୋଇଛି ସୋସିଆଲ ମିଡିଆ ସଂସ୍ଥା ହ୍ବାଟସଆପ୍ । ସୋସିଆଲ ମିଡିଆରେ ମିଥ୍ୟା ଓ ଭ୍ରମାତ୍ମକ ତଥ୍ୟ ପରିବେଷଣ ଉପରେ ଅଂକୁଶ ଲଗାଇବାକୁ କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍ ଲାଗୁ ହେବା ପରେ ଏହାକୁ ଚ୍ୟାଲେଞ୍ଜ କରି କୋର୍ଟ ଯାଇଛି ହ୍ବାଟସଆପ୍ । କଂପାନିର ଯୁକ୍ତି, ନୂଆ ଗାଇଡଲାଇନ୍ ଅନୁସରଣ କଲେ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଙ୍ଘନ ହେବ । ମେସେଜର ସ୍ରଷ୍ଟା କିଏ, ଅର୍ଥାତ୍ କିଏ ମେସେଜ୍ ଲେଖିଛନ୍ତି ଓ ତାକୁ ସୋସିଆଲ ମିଡିଆରେ ଛାଡିଛନ୍ତି, ତାଙ୍କ ସଂପର୍କରେ ସୂଚନା ପ୍ରଦାନ ଲାଗି ନୂଆ ଡିଜିଟାଲ ଆଇନରେ ବ୍ୟବସ୍ଥା ରହିଛି । ତେବେ ଏହାଦ୍ୱାରା କଂପାନୀର ଏଣ୍ଡ୍ ଟୁ ଏଣ୍ଡ୍ ଏନକ୍ରିପସନ ପଲିସି ଏବଂ ବ୍ୟକ୍ତିଗତ ଗୋପନୀୟତା ଅଧିକାର ଉଲ୍ଲଙ୍ଘନ ହେବ ।

Breaking News