Report Card Odisha

| Daily Odia News

ଜିଏସଟି ଠକେଇ ମାମଲା:ଭୁବନେଶ୍ବରର ୬ ସ୍ଥାନରେ ଚଢ଼ଉ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ଜିଏସଟିର ସ୍ବତନ୍ତ୍ର ଟିମ୍ ଭୁବନେଶ୍ବର ବିଜେବିନଗରରେ ଥିବା ଡି.ଡି. ବିଲ୍ଡର୍ସର ଅଫିସ ସମେତ ରାଉରକେଲା, ଭବାନୀପାଟଣା, ଢେଙ୍କାନାଳ ଆଦି ୬ଟି ସ୍ଥାନରେ ଚଢ଼ଉ କରିଛି। ଜାଲ୍‌ ବିଲ୍ ତିଆରି କରି ସରକାରଙ୍କୁ କୋଟି କୋଟି ଟଙ୍କାର ଜିଏସ୍‌ଟି ଫାଙ୍କିଛି ଡି.ଡି. ବିଲ୍ଡର୍ସ ଲିମିଟେଡ୍। ଏହି ଯାଞ୍ଚ ଜାରି ସମୟରେ ୬ କୋଟି ଟଙ୍କାର ଜିଏସ୍‌ଟି ଠକେଇ ହୋଇଥିବା ଜଣାପଡ଼ିଛି। ଠକେଇ ସମ୍ପର୍କରେ ପଚରାଉଚରା କରିବା ପାଇଁ ସକାଳଠାରୁ କମ୍ପାନିର ମୁଖ୍ୟ ରମେଶ ଅଗ୍ରଵାଲ, ନିର୍ଦ୍ଦେଶକ ସୁବ୍ରତ ଅଗ୍ରଵାଲ, ଚିରାଗ ଅଗ୍ରଵାଲ, ତ୍ରିଲୋଚନ ଅଗ୍ରଵାଲଙ୍କୁ ଖୋଜୁଛି ତଦନ୍ତକାରୀ ଟିମ୍। ମାତ୍ର ସେମାନଙ୍କର ସମସ୍ତ ମୋବାଇଲ ନମ୍ବର ସୁଇଚ୍ ଅଫ୍ ରହିଥିବା ବେଳେ କାହାର ପତ୍ତା ମିଳି ପାରୁନାହିଁ ବୋଲି ଜିଏସ୍‌ଟିର ଜଣେ ଅଧିକାରୀ କହିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଡି.ଡି. ବିଲ୍ଡର୍ସ ରାଜ୍ୟ ସରକାରଙ୍କର ବିଭିନ୍ନ ଜଳସେଚନ ପ୍ରକଳ୍ପ କାମ କରେ। ବିଭିନ୍ନ କାମ ବାବଦରେ ବିଲ୍ କରିବା ସମୟରେ ସରକାରଙ୍କଠାରୁ ଜିଏସ୍‌ଟି ବାବଦରେ କୋଟି କୋଟି ଟଙ୍କା ଅର୍ଥ ଆଣିଥିଲା। ଏହି ଅର୍ଥକୁ ଜିଏସଟି ବିଭାଗରେ ଦାଖଲ କରିବା କଥା। କିନ୍ତୁ ଜିଏସଟି ଅର୍ଥ ଦାଖଲ ହୋଇ ନ ଥିବା ଜଣାପଡିବା ପରେ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଥିଲା। କନଷ୍ଟ୍ରକସନ୍ କାମ ଲାଗି ସିମେଣ୍ଟ, ରଡ୍ କିଣା ଯାଇଥିବା ଫାର୍ମକୁ ଜିଏସ୍‌ଟି ଦିଆ ଯାଇଥିଲା ବୋଲି ଚଢ଼ଉ ସମୟରେ ଡି.ଡି. ବିଲ୍ଡର୍ସର ଜଣେ ଅଧିକାରୀ ଜିଏସଟି ବିଭାଗକୁ ସୂଚନା ଦେଇଥିଲେ। ମାତ୍ର ସେହି ସୂଚନାକୁ ଯାଞ୍ଚ କରାଯିବା ସମୟରେ ସେସବୁ ଜାଲ୍ ବିଲ୍ ବୋଲି ଜଣା ପଡ଼ିଥିଲା। ରାଉରକେଲାର ଏକ ଫାର୍ମରୁ ସିମେଣ୍ଟ, ରଡ୍ କିଣା ଯାଇଥିବା ବିଲ୍‌ରେ ଉଲ୍ଲେଖ ରହିଛି। ମାତ୍ର ସେହି ବିଲ୍‌ରେ ଥିବା ଠିକଣାକୁ ଆଧାର କରି ଜିଏସଟି ଟିମ୍ ଯେତେବେଳେ ରାଉରକେଲାରେ ପହଞ୍ଚିଥିଲା ସେଠାରେ ସେମିତି କୌଣସି ଫାର୍ମ ନ ଥିବା ଜଣାପଡ଼ିଥିଲା। ଏହି ଭଳି ଭାବେ ଜାଲ୍ ବିଲ୍ ତିଆରି କରାଯାଇ କୋଟିକୋଟି ଟଙ୍କାର ଜିଏସ୍‌ଟି ଠକେଇ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଚଢ଼ଉ ଜାରି ରହିଥିବାରୁ ଠକେଇ ପରିମାଣ ଆହୁରି ବଢିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Breaking News