ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀରେ ଓମିକ୍ରନ୍ କରୋନାଭାଇରସ୍ ଭେରିଏଣ୍ଟ୍ ସଙ୍କଟ ହେତୁ ପ୍ରଥମ ଥର ପାଇଁ ଏବର୍ଷ ପାରମ୍ପରିକ ‘ହାଲ୍ୱା ଉତ୍ସବ’ ବାତିଲ କରାଯାଇଥିବା କଥା ଗୁରୁବାର ଦିନ କେନ୍ଦ୍ର ସରକାର କହିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫେବ୍ରୁଆରି ପହିଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କାଗଜରହିତ (ପେବର୍ଲେସ୍) ବଜେଟ୍ ଉପସ୍ଥାପନ କରିବେ। ଏ ସଂକ୍ରାନ୍ତରେ ବିବୃତି ଦେଇ ସରକାର କହିଛନ୍ତି, ମହାମାରୀ ପରିସ୍ଥିତି ହେତୁ ସ୍ବାସ୍ଥ୍ୟ ସୁରକ୍ଷା ନିୟମ ମାନିବାକୁ ପଡୁଥିବାରୁ ପ୍ରତିବର୍ଷ ପରି ପାରମ୍ପରିକ ହାଲ୍ୱା ପରିବର୍ତ୍ତେ କାର୍ଯ୍ୟସ୍ଥଳରେ ଅଟକ (ଲକ୍-ଇନ୍) ରହି କେନ୍ଦ୍ର ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାରେ ଲାଗିଥିବା କର୍ମଚାରୀମାନଙ୍କୁ ମିଷ୍ଟାନ୍ନ ଯୋଗାଇ ଦିଆଯାଇଛି। ଚନାଯୋଗ୍ୟ, କର୍ମଚାରୀମାନଙ୍କର ‘ଲକ୍-ଇନ୍’ ସମୟ ଆରମ୍ଭ ସୂଚାଇବା ନିମନ୍ତେ ନର୍ଥ ବ୍ଲକ୍ରେ ଅବସ୍ଥିତ ମୁଖ୍ୟାଳୟର ଗ୍ରାଉଣ୍ଡ୍ଫ୍ଲୋର୍ରେ ପ୍ରତିବର୍ଷ ଅର୍ଥ ମନ୍ତ୍ରାଳୟ ‘ହାଲ୍ୱା ଉତ୍ସବ’ ଆୟୋଜନ କରିଥାଏ। ପାରମ୍ପରିକ କଡ଼ାଇରେ ଅର୍ଥମନ୍ତ୍ରୀ ହାଲ୍ୱା ଘାଣ୍ଟିବା ସହ ସହକର୍ମୀମାନଙ୍କୁ ପରିବେଶଣ କରନ୍ତି। ପରେ ସ୍ବୀକୃତି ସ୍ବରୂପ ବଜେଟ୍ ପାଇଁ କାମ କରୁଥିବା କର୍ମଚାରୀମାନଙ୍କ ମଧ୍ୟରେ ଏହି ହାଲ୍ୱା ବଣ୍ଟନ କରାଯାଇଥାଏ। ବଜେଟ୍ ଯେମିତି ‘ଲିକ୍’ ନ ହୁଏ, ସେଥି ପ୍ରତି ସୁନିଶ୍ଚିତ ହେବାକୁ କର୍ମଚାରୀମାନଙ୍କର ‘ଲକ୍-ଇନ୍’ ସମୟ ଆରମ୍ଭ କରାଯାଇଥାଏ। ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍ ଉପସ୍ଥାପନ କରି ସାରିବା ପରେ ଯାଇ ବଜେଟ୍ ପ୍ରସ୍ତୁତିରେ ସମ୍ପୃକ୍ତ ଥିବା ଅଧିକାରୀ ଓ କର୍ମଚାରୀମାନେ ‘ଲକ୍-ଇନ୍’ରୁ ବାହାରି ସେମାନଙ୍କ ପ୍ରିୟ ପରିଜନଙ୍କ ପାଖକୁ ଫେରି ଯାଆନ୍ତି।





More Stories
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..
୬ଟି ଆସନରେ ଆଜି ଉପନିର୍ବାଚନ…..