ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜ୍ୟ ସଭାରୁ ନିଲମ୍ବିତ ହୋଇଥିବା ୧୨ ବିରୋଧୀ ସାଂସଦଙ୍କ ପ୍ରତି ସମର୍ଥନ ଜଣାଇ ଆଜି କଂଗ୍ରେସର ଲୋକସଭା ସାଂସଦ ଶଶୀ ଥରୁର୍ ‘ସଂସଦ ଟିଭିର ଟଅକ୍ ସୋ’ର ଉପସ୍ଥାପକ ପଦର ଇସ୍ତଫା ଦେଇଛନ୍ତି। ଏ ସଂକ୍ରାନ୍ତରେ ନିଜେ ଟୁଇଟ୍ କରି ଶଶୀ ଥରୁର୍ କହିଛନ୍ତି, ‘ସଂସଦ ଟିଭି’ର ‘ଟଅକ୍ ସୋ’ ‘ଟୁ ଦି ପଏଣ୍ଟ୍’ରୁ ସେ ଇସ୍ତଫା ଦେଇଛନ୍ତି। ଭାରତୀୟ ସଂସଦୀୟ ଗଣତନ୍ତ୍ରର ସର୍ବୋତ୍ତମ ପରମ୍ପରା ଧାରାରେ ଉକ୍ତ ‘ସୋ’ର ଉପସ୍ଥାପକ ହେବା ପାଇଁ ‘ସଂସଦ ଟିଭି’ର ଆମନ୍ତ୍ରଣ ରକ୍ଷା କରିଥିଲି ବୋଲି ମୋର ମନେହୋଇଥିଲା। ଏହାଦ୍ବାରା, ଜଣେ ସାଂସଦ ଭାବେ ଆମ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟି ସଂସଦୀୟ ପ୍ରତିଷ୍ଠାନଗୁଡ଼ିକରେ ସମ୍ପୂର୍ଣ୍ଣ ଭାବେ ଅଂଶ ଗ୍ରହଣ କରିବାରେ ଆମ ରାଜନୈତିକ ମତପାର୍ଥକ୍ୟ ଅନ୍ତରାୟ ସୃଷ୍ଟି କରେନାହିଁ ବୋଲି ଥିବା ନୀତି ସୁନିଶ୍ଚିତ ହୋଇଥିଲା। କିନ୍ତୁ, ରାଜ୍ୟସଭାର ୧୨ଜଣ ସାଂସଦଙ୍କ ଦୀର୍ଘ ନିଲମ୍ବନ ଯୋଗୁଁ ସେଥି ପ୍ରତି ମୋର ସନ୍ଦେହ ଜାତ ହୋଇଛି। ଏଭଳି ପରିସ୍ଥିତିରେ ‘ସଂସଦ ଟିଭି’ କାର୍ଯ୍ୟକ୍ରମ ଉପସ୍ଥାପନ କରିବା ଅର୍ଥ ଅଗଣତାନ୍ତ୍ରିକ କାର୍ଯ୍ୟକଳାପକୁ ସମର୍ଥନ କରିବା ପରି ଲାଗିଲା। ସୂଚନାଯୋଗ୍ୟ, ମୌସୁମୀ ଅଧିବେଶନରେ ପ୍ରଦର୍ଶନ କରିଥିବା ଆଚରଣ ଯୋଗୁଁ ନଭେମ୍ବର ୨୯ରେ ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନ ରାଜ୍ୟସଭାର ୧୨ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା। ଏହାକୁ ବିରୋଧ କରି ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ‘ସଂସଦ ଟିଭି’ର ‘ମେରି କହାନୀ’ର ଉପସ୍ଥାପିକା ପଦରୁ ଇସ୍ତଫା ଦେଇଥିଲେ। ନିଲମ୍ବିତ ହୋଇଥିବା ୧୨ଜଣ ସାଂସଦଙ୍କ ମଧ୍ୟରୁ ପ୍ରିୟଙ୍କା ଅନ୍ୟତମା।
Discussion about this post