Report Card Odisha

| Daily Odia News

ମଙ୍କିପକ୍ସ ପାଇଁ ଗାଇଡଲାଇନ ଜାରିକଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ସଂକ୍ରମଣ ସାଙ୍ଗକୁ ଭୟ ବଢ଼ାଇଛି ମଙ୍କିପକ୍ସ | ଏହାକୁ ନେଇ ଭାରତରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହେବା ପରେ ସତର୍କ ହୋଇଉଠିଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ । ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାରଦିନ କେତେକ ଗାଇଡଲାଇନ ଜାରି ହୋଇଛି । ଏହି ଗାଇଡଲାଇନ ଅନୁସାରେ ବିଦେଶଯାତ୍ରୀମାନେ ଅସୁସ୍ଥ ଲୋକ ବିଶେଷକରି ଚର୍ମରୋଗ ଥିବା ଲୋକମାନଙ୍କଠାରୁ ଦୂରତା ବଜାୟ ରଖିବା ଉଚିତ । ଲୋକମାନେ ମଧ୍ୟ ବଣୁଆ ଜୀବ ଯେପରିକି ମାଙ୍କଡ଼, ସିପାଞ୍ଜି, ଗୁଣ୍ଡୁଚି ମୁଷା, ସାଧାରଣ ମୁଷା ଆଦିଙ୍କ ସଂସ୍ପର୍ଶରେ ଆସିବା ଉଚିତ ନୁହେଁ । ପୁଣି ଅନ୍ତର୍ଜାତୀୟ ଯାତ୍ରା କରୁଥିବା ଲୋକମାନେ ବଣୁଆ ପଶୁଙ୍କ ମାଂସ ଖାଇବା ଉଚିତ ନୁହେଁ । ଆଫ୍ରିକାର ବଣୁଆ ଜୀବଙ୍କ ଶରୀରରୁ ପ୍ରସ୍ତୁତ ସାମଗ୍ରୀ ବ୍ୟବହାର ନକରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି । ଗତ କାଲି ଭାରତରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିଲା । ୟୁଏଇରୁ କେରଳର କୋଲ୍ଲାମକୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ ମଙ୍କିପକ୍ସ ଭୁତାଣୁ ଚିହ୍ନଟ ହୋଇଥିବା କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଥିଲେ । ଉକ୍ତ ବ୍ୟକ୍ତି ଗତ ୧୨ ତାରିଖରେ ୟୁଏଇରୁ ଆସି କେରଳର ତିରୁଅନନ୍ତପୁରମରେ ଓହ୍ଲାଇଥିଲେ । କିଛି ଦିନ ପୂର୍ବରୁ ୟୁଏଇରେ ଥିବାବେଳେ ତାଙ୍କର ଜଣେ ସାଙ୍ଗ ମଙ୍କିପକ୍ସ ଆକ୍ରାନ୍ତ ହୋଇଥିଲେ । ଉକ୍ତ ସାଙ୍ଗ ସଂସ୍ପର୍ଶରେ ଆସି ସେ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ମଙ୍କିପକ୍ସ ହେଉଛି ପଶୁଙ୍କ ଶରୀରରୁ ମଣିଷ ଶରୀରକୁ ସଂକ୍ରମିତ ହୋଇଥିବା ଏକ ଭୁତାଣୁ । ଏହା ସାଧାରଣତଃ ମିଳିମିଳା ପରି ଦେଖାଯାଇଥାଏ । ତେବେ ଏହା ସେତେଟା ମାରାତ୍ମକ ନୁହେଁ ।

Breaking News