ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ମାସର ପ୍ରଥମ ୮ଦିନରେ ରାଜ୍ୟରେ ହାରାହାରି ୮୬.୩ ମିମି ବର୍ଷା ରେକର୍ଡ ହୋଇଛି, ଯାହାକି ସମ୍ପୂର୍ଣ୍ଣ ମାସର ସ୍ବାଭାବିକ ବର୍ଷା ୧୧୨ ମିମିର ୭୭%। ଏହି ସମୟ ମଧ୍ୟରେ ୧୨ ଜିଲ୍ଲାକୁ ସ୍ବାଭାବିକଠାରୁ ଅଧିକ (୨୦%ରୁ ୫୯%), ୧୭ ଜିଲ୍ଲାରେ ଅତ୍ୟଧିକ (୬୦% କିମ୍ବା ଏହାଠାରୁ ଅଧିକ) ଏବଂ ଗଞ୍ଜାମରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି। ବୁଧବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଜ୍ରପାତ ସହିତ ବର୍ଷା ହୋଇଛି। ଚାନ୍ଦବାଲିରେ ୧୩.୨ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଭୁବନେଶ୍ୱରରେ ୪୦.୯ ମିମି, ନୂଆପଡ଼ାରେ ୧୬ ମିମି, ନୟାଗଡ଼ ଓ ଭଦ୍ରକରେ ୫ ମିମି ଲେଖାଏ ବର୍ଷା ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ବଜ୍ରପାତ ସହିତ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଅନ୍ୟପଟେ ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ୧୦ ତାରିଖବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହା ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ଆଶଙ୍କା ରହିଥିଲେ ମଧ୍ୟ ଏଯାଏ କିଛି ସ୍ପଷ୍ଟ ହୋଇନାହିଁ। ତେବେ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଉତ୍ତର ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା, ତେଲଙ୍ଗାନା ଏବଂ ଦକ୍ଷିଣ ଛତିଶଗଡ଼ରେ ଏକ ନିମ୍ନଚାପରେଖା ସକ୍ରିୟ ରହିଛି। ଉତ୍ତର-ପୂର୍ବ ଝାଡ଼ଖଣ୍ଡ ଏବଂ ଏହାର ପାଶର୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ଅଛି। ଏହା ପ୍ରଭାବରେ ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି






More Stories
ରାଜ୍ୟ କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..
ଶାହଙ୍କ ଓଡିଶା ଗସ୍ତ ବାତିଲ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ;ଓଡ଼ିଶାକୁ ଆଲର୍ଟ…..