Report Card Odisha

| Daily Odia News

ଆଜି ପ୍ରବଳ ବର୍ଷିବ,୫ ଜିଲ୍ଲାକୁ ରେଡ୍‌ ଓ୍ବାର୍ନିଂ ଜାରି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ସକ୍ରିୟ ହେବାରେ ଲାଗିଛି। ଏହାସହ ସମ୍ପୃକ୍ତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି। ଫଳରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ତେବେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ସୂଚନା ଅନୁଯାୟୀ, ଆସନ୍ତା ଦୁଇଦିନ ମଧ୍ୟରେ ଏହି ଲଘୁଚାପ ଆହୁରି ସକ୍ରିୟ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶା ସମେତ ପୂର୍ବ ଭାରତର ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ ଆହୁରି ବଢ଼ିପାରେ ବୋଲି ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଋତୁକାଳୀନ ମୌସୁମୀ ଅକ୍ଷରେଖା (ସିଜନାଲ ଟ୍ରପ୍‌) ଉତ୍ତର-ପଶ୍ଚିମ ରାଜସ୍ଥାନରୁ ଆରମ୍ଭ ହୋଇ ଉତ୍ତର ମଧ୍ୟପ୍ରଦେଶ, ଉତ୍ତର ଛତିଶଗଡ଼ ଏବଂ ଓଡ଼ିଶା ଦେଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଥିବା ଲଘୁଚାପ କେନ୍ଦ୍ର ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୧.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ସକ୍ରିୟ ରହିଛି। ଏହି ପାଣିପାଗ ସ୍ଥିତି ଯୋଗୁ ଆସନ୍ତା ସପ୍ତାହ ଧରି ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ କିଛି ସ୍ଥାନରେ ଘଡ଼ଘଡ଼ି ଓ ବଜ୍ରପାତର ସମ୍ଭାବନା ରହିଛି। ସେହିପରି ଗୁରୁବାର ରାତିରୁ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ କିଛି ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଯାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଶନିବାର ମଧ୍ୟ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା ଜାରି ରହିବ। ତେବେ ସମ୍ବଲପୁର, ଅନୁଗୋଳ, ସୋନପୁର, ବୌଦ୍ଧ ଏବଂ କନ୍ଧମାଳ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍‌ ଓ୍ବାର୍ନିଂ ଜାରି ହୋଇଛି। ସେହିପରି କଟକ, ଢେଙ୍କାନାଳ, କେନ୍ଦୁଝର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ ଏବଂ ନୟାଗଡ଼ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ନିଂ ଏବଂ ଅନ୍ୟ ସମସ୍ତ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ବର୍ଷା ସମୟରେ ସମୁଦ୍ର ମୁଖ୍ୟତଃ ଅଶାନ୍ତ ରହିବା ସମ୍ଭାବନା ଥିବାରୁ ଶନିବାରଠାରୁ ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

Breaking News