ରିପୋର୍ଟ କାର୍ଡ / ଭୁବନେଶ୍ବର
ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳ ରବିବାର ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଦିଗରେ ଗତିକରି ଏହା ଅବପାତ ରୂପ ନେବା ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଉତ୍ତର, ପଶ୍ଚିମ ଓଡ଼ିଶା ସହିତ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବର୍ଷା ହୋଇଛି। କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ନୟାଗଡ଼ ଆଦି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଆଉ କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ଅବପାତ ପ୍ରଭାବରେ ଉତ୍ତର ଓଡ଼ିଶାର ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ମଧ୍ୟରୁ କିଛି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ, ଅବପାତ ପ୍ରଭାବରେ ଆସନ୍ତାକାଲି ଉତ୍ତର ଓଡ଼ିଶାର ବାଲେଶ୍ବର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର କେତେକ ଅଞ୍ଚଳରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏହି ତିନୋଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ ଏବଂ ଢେଙ୍କାନାଳ ଜିଲାର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକୁ ମଧ୍ୟ ବିଜୁଳି ଘଡଘଡି ସହ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୧୮ତାରିଖରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଉତ୍ତର ଆନ୍ଧ୍ର ପ୍ରଦେଶରେ ୪୦ରୁ ୫୦କି.ମି. ବେଗରେ ପବନ ବହିପାରେ। ସ୍ଥଳବିଶେଷରେ ଝଟକା ପବନ ଘଣ୍ଟାପ୍ରତି ୬୦କି.ମି. ବେଗରେ ବହିପାରେ। ପରବର୍ତ୍ତୀ ସମୟରେ ବର୍ଷା ପରିମାଣ କମିଲେ ବି ୨୦ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶା ସହିତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ବିଜୁଳି ଘଡଘଡି ସହିତ ପ୍ରବଳ ବର୍ଷାର ସମ୍ଭାବନା ରହିଛି।ସମୁଦ୍ର ଅଶାନ୍ତ ଥିବାରୁ ଆସନ୍ତା ୧୮ତାରିଖ ପର୍ଯ୍ୟନ୍ତ ସମୁଦ୍ର ନଯିବାକୁ ମତ୍ସ୍ୟଜୀବୀଙ୍କୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି, ଲଘୁଚାପ ଉପକୂଳ ନିକଟବର୍ତ୍ତୀ ହେଲାଣି। ଆସନ୍ତାକାଲି ଉପକୂଳରେ ଅବପାତ ରୂପ ନେଇପାରେ। ଉତ୍ତରର ଜିଲାଗୁଡିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଅବପାତ ଉତ୍ତର-ପଶ୍ଚିମ ଦିଗରେ ମୁହଁାଇ ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ ଆଡକୁ ଯିବ। ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ସୁବର୍ଣ୍ଣରେଖା ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇପାରେ। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ଦେଇ ଛତିଶଗଡ଼ ଆଡ଼କୁ ଗତି କରିବ। ଏହାର ପ୍ରଭାବରେ ୧୯ତାରିଖ ମଧ୍ୟରେ ଉପକୂଳ, କେନ୍ଦ୍ରୀୟ ଏବଂ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାଗୁଡିକରେ ପ୍ରବଳ ବର୍ଷା ହେବ। ୨୦ରୁ ୨୨ତାରିଖ ମଧ୍ୟରେ ଲଘୁଚାପଟି ଆଭ୍ୟନ୍ତରୀଣ ଭାରତ ଆଡ଼କୁ ଘୁଞ୍ଚିଯିବା ପରେ ଓଡ଼ିଶାରେ ବର୍ଷାର ପରିମାଣ ହ୍ରାସ ପାଇବ।






More Stories
ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ!…..
ବନ୍ୟା ମୁକାବିଲା ପାଇଁ ୩ ଆଇଏଏସ୍ ଙ୍କୁ ଦାୟିତ୍ୱ…..
ମୋଦୀଙ୍କ ହାତରେ ଦେଶ ଆଜି ସୁରକ୍ଷିତ…..