Report Card Odisha

| Daily Odia News

ବିବାହ ପ୍ରମାଣପତ୍ର ଦେଇ ପାରିବେନି ନୋଟାରି…..

ରିପୋର୍ଟ କାର୍ଡ / କଟକ

ବିବାହ ପ୍ରମାଣପତ୍ର ନୋଟାରି ପବ୍ଲିକ୍ ଜାରି କରିବା ପ୍ରସଂଗକୁ ନେଇ ହାଇକୋର୍ଟ ଅସନ୍ତୋଷବ୍ୟକ୍ତ କରିଛନ୍ତି। ବିବାହ ସଂପର୍କିତ ପ୍ରମାଣପତ୍ର ଜାରି ନ କରିବାକୁ ଆଇନ ବିଭାଗ ନୋଟାରିମାନଙ୍କୁ ନିର୍ଦ୍ଦେଶ ଦେଇଥିଲା। ଏଥିସହିତ ଏହି ପ୍ରସଂଗରେ ସୁପ୍ରିମକୋର୍ଟ, ଓଡ଼ିଶା ହାଇକୋର୍ଟ ଓ ଅନ୍ୟ ହାଇକୋର୍ଟଙ୍କ ରାୟ ରହିଛି। କିନ୍ତୁ ଅଧିକାଂଶ ନୋଟାରି ଏ ନେଇ ଅବଗତ ନାହାନ୍ତି। ଏଭଳି ସ୍ଥିତିରେ ରାଜ୍ୟର ସମସ୍ତ ନୋଟାରିଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଆୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନୋଟାରିଙ୍କ ପାଇଁ ଆଭାସୀ ମାଧ୍ୟମରେ ନିୟମିତ ଭାବେ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ନୋଟାରି ଆଇନର ଧାରା ୮ ଅନୁସାରେ ନୋଟାରିଙ୍କ ପାଇଁ ରାଜ୍ୟ ସରକାର ଗାଇଡଲାଇନ ଜାରି କରିବେ। ‌େନାଟାରିଙ୍କ କାର୍ଯ୍ୟ ଓ କ୍ଷମତା ପରିସର ନେଇ ଗାଇଡଲାଇନରେ ଉଲ୍ଲେଖ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ଅନ୍ୟପଟେ ଅନେକ ସମୟରେ ସତ୍ୟପାଠ ଦେଉଥିବା ବ୍ୟକ୍ତି ନୋଟାରିଙ୍କ ପାଖରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଶପଥ ନେଉ ନାହାନ୍ତି। ଆଇନଜୀବୀ ବା ଆଇନଜୀବୀଙ୍କ କ୍ଲର୍କ ପକ୍ଷଙ୍କ ଦସ୍ତଖତ ସମ୍ବଳିତ ସତ୍ୟପାଠ ନେଇ ନୋଟାରିଙ୍କ ପାଖକୁ ଯାଉଛନ୍ତି। ନୋଟାରି ମଧ୍ୟ ଏଭଳି ନଥିପତ୍ରରେ ଥିବା ପକ୍ଷଙ୍କ ଦସ୍ତଖତକୁ ଯାଞ୍ଚ ନ କରି ଏହାର ଆଟେଷ୍ଟେସନ କାର୍ଯ୍ୟ ସଂପାଦନ କରୁଛନ୍ତି। ଏଭଳି କାର୍ଯ୍ୟ ନୋଟାରି ଆଇନ ଓ ଏ ସଂପର୍କିତ ନିୟମାବଳୀର ଉଲ୍ଲଂଘନ ବୋଲି ହାଇକୋର୍ଟ କହିଛନ୍ତି।

Breaking News