Report Card Odisha

| Daily Odia News

ଜିଲ୍ଲାପାଳଙ୍କୁ ଜେଲ୍ ବୁଲିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ…..

ରିପୋର୍ଟ କାର୍ଡ / କଟକ

ରାଜ୍ୟର ବିଭିନ୍ନ ଜେଲରେ ଅନ୍ତେବାସୀଙ୍କ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ। ସୁପ୍ରିମକୋର୍ଟଙ୍କ ଏ ସମ୍ପର୍କିତ ନିର୍ଦ୍ଦେଶାବଳୀ କିଭଳି କଡାକଡି ପାଳନ କରାଯିବ ସେ ନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରିକରିଛନ୍ତି। ଜିଲ୍ଲାପାଳଙ୍କୁ ଜେଲ୍ ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଆସନ୍ତା ମାର୍ଚ୍ଚ ୧୫ ତାରିଖରୁ ଏପ୍ରିଲ ୧୬ ପର୍ଯ୍ୟନ୍ତ ମାସେ ମଧ୍ୟରେ ପରିଦର୍ଶନ ପ୍ରକ୍ରିୟା ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶରେ ଉଲ୍ଲେଖ୍ୟ କରିଛନ୍ତି। ଜିଲ୍ଲାପାଳ ମାନେ ନିଜ ଅଞ୍ଚଳ ରେ ଥିବା ସମସ୍ତ ଜେଲ୍ ପରିଦର୍ଶନ କରି ଜେଲର ଭିତ୍ତିଭୂମି, ଅନ୍ତେବାସୀଙ୍କ ଅବସ୍ଥା, ଖାଦ୍ୟ,ଆବାସ ଏବଂ ଚିତ୍ତବିନୋଦନ ପ୍ରସଙ୍ଗରେ ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି। ସେହିପରି ରାଜ୍ୟର ସମସ୍ତ ଜିଲ୍ଲା କାରାଗାର ଓ ଉପ କାରାଗାରରେ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସରକାର ପଦେକ୍ଷପ ନେବାକୁ କୋର୍ଟ କହିଛନ୍ତି। ଏହାସହ ସିସିଟିଭି ଲଗାଇବା ପ୍ରସଙ୍ଗରେ ତ୍ୱରିତ ପଦେକ୍ଷପ ନେବାକୁ ରାଜ୍ୟ ସରକାର ଏବଂ ଜେଲ୍ କର୍ତ୍ତୁପକ୍ଷଙ୍କୁ ହାଇକୋର୍ଟ ନିର୍ଦେଶ ବି ଦେଇଛନ୍ତି। ଛୋଟ ଅପରାଧରେ ଲିପ୍ତ ଥାଇ ଜାମିନ ପାଇଥିଲେ ବି ଅର୍ଥାଭାବରୁ ଜେଲରୁ ମୁକୁଳି ପାରୁ ନଥିବା ଅନ୍ତେବାସୀଙ୍କ ବାବଦରେ ବି ତଥ୍ୟ ମାଗିଛନ୍ତି ହାଇକୋର୍ଟ। ତେବେ ଅନେକ ସମୟରେ ଜେଲର ମଧ୍ୟରେ ବିଭିନ୍ନ ସମସ୍ୟା ରହିଥିବା କଥା ସାମ୍ନାକୁ ଆସିଛି। ତେଣୁ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜେଲରେ କେମିତି କଏଦୀମାନେ ସୁରକ୍ଷିତ ରହିବେ ସେନେଇ ସିସିଟିଭିର ଯାଂଚ ମଧ୍ୟ କରିବାକୁ କହିଛନ୍ତି କୋର୍ଟ। ଜିଲ୍ଲାପାଳମାନେ ରିପୋର୍ଟ ଦେବା ପରେ କୋର୍ଟ କି ନିଷ୍ପତ୍ତି ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Breaking News