Report Card Odisha

| Daily Odia News

ଆଜିଠାରୁ ହକି ମହାକୁମ୍ଭ,ଭାରତ-ସ୍ପେନକୁ ଭେଟିବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜିଠାରୁ ଓଡ଼ିଶାରେ ଆରମ୍ଭ ହେଉଛି ହକି ମହାକୁମ୍ଭ | ବୁଧବାର କଟକର ବାରବାଟୀ ଷ୍ଟାଡ଼ିୟମରେ ବଲିଉଡ୍‌ର ନାମିଦାମି କଳାକାରଙ୍କ ଉପସ୍ଥିତିରେ ହକି ବିଶ୍ବକପର ପଞ୍ଚଦଶତମ ସଂସ୍କରଣ ଆରମ୍ଭ ହୋଇଛି। କାର୍ଯ୍ୟସୂଚୀ ଅନୁଯାୟୀ ଆଜିଠାରୁ ମ୍ୟାଚ ଆରମ୍ଭ ହେବ। ଏଥିପାଇଁ ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମ ଓ ରାଉରକେଲାର ବିର୍ସା ମୁଣ୍ଡାର ଷ୍ଟାଡ଼ିୟମ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ପ୍ରଥମ ଦିନରେ ୪ଟି ଲିଗ୍‌ ମ୍ୟାଚ ଖେଳାଯିବ। କଳିଙ୍ଗ ଷ୍ଟାଡ଼ିୟମରେ ଅପରାହ୍ଣ ୧ଟାରେ ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା-ଦକ୍ଷିଣ ଆଫ୍ରିକାକୁ ଭେଟିବ। ଏହାପରେ ଅପରାହ୍ଣ ୩ଟାରେ ଦ୍ବିତୀୟ ମ୍ୟାଚ ଅଷ୍ଟ୍ରେଲିଆ-ଫ୍ରାନ୍‌ସ ମଧ୍ୟରେ ଖେଳାଯିବ। ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମରେ ଅପରାହ୍ଣ ୫ଟାରେ ଇଂଲଣ୍ଡ-ୱେଲସକୁ ଭେଟିବାବେଳେ ରାତି ୭ଟାରେ  ଭାରତ-ସ୍ପେନକୁ ଭେଟିବ। ଆୟୋଜକ ଭାରତ ପ୍ରଥମ ମ୍ୟାଚ ସ୍ପେନ ବିପକ୍ଷରେ ରାଉରକେଲାର ନବନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମରେ ଖେଳି ଅଭିଯାନ ଆରମ୍ଭ କରିବ। ଗ୍ରାହାମ ରିଡ୍‌ଙ୍କ ପ୍ରଶିକ୍ଷଣ ଓ ହରମାନପ୍ରୀତ ସିଂହଙ୍କ ନେତୃତ୍ବରେ ଭାରତୀୟ ଯୁବ ଦଳ ବିଶ୍ବକପ ଜିତିବାର ୪୮ ବର୍ଷ ପ୍ରତିକ୍ଷାର ଅନ୍ତ ଘଟାଇବା ଲକ୍ଷ୍ୟ ରଖି ପଡିଆକୁ ଓହ୍ଲାଇବେ। ଭାରତ ପ୍ରଥମ ତଥା ଏକମାତ୍ର ବିଶ୍ବକପ ୧୯୭୫ରେ କ୍ବାଲାଲାମ୍ପପୁରରେ ଅଜିତପାଲ ସିଂହଙ୍କ ଅଧିନାୟକତ୍ବରେ ଜିତିଥିଲା। ହକି ବିଶ୍ବକପ ଭାରତରେ ୪ର୍ଥ ଥର ଆୟୋଜିତ ହେଉଥିବା ବେଳେ ଓଡ଼ିଶା କ୍ରମାଗତ ଦ୍ବିତୀୟ ଥର ପାଇଁ ଆୟୋଜନ କରୁଛି। ପ୍ରତିଯୋଗିତାରେ ୧୬ଟି ଦଳ ଅଂଶଗ୍ରହଣ କରିଥିବାବେଳେ ୧୭ ଦିନରେ ମୋଟ ୪୪ଟି ମ୍ୟାଚ ଖେଳାଯିବ। ୨୯ ରେ କଳିଙ୍ଗ ଷ୍ଟାଡ଼ିୟମରେ ଫାଇନାଲ ମ୍ୟାଚ ଖେଳାଯିବ। ଭାରତ ଓ ସ୍ପେନ ମଧ୍ୟରେ ହେବାକୁ ଥିବା ଏହି ଉଦ୍‌ଘାଟନୀ ମ୍ୟାଚକୁ ଦେଖିବା ପାଇଁ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଆସୁଥିବା ସୂଚନା ମିଳିଛି। ଅପରାହ୍ଣ ୩ଟା ୪୫ରେ ଭୁବନେଶ୍ବରରୁ ବିମାନଯୋଗେ ଆସି ମୁଖ୍ୟମନ୍ତ୍ରୀ ଅପରାହ୍ଣ୪ଟା ୪୫ରେ ରାଉରକେଲା ବିମାନବନ୍ଦରରେ ପହଞ୍ଚି ସିଧା ବିଶ୍ୱକପ ହକି ଗ୍ରାମକୁ ଯିବେ। ୬ଟା ୪୫ରେ ହକି ଗ୍ରାମରୁ ମୁଖ୍ୟମନ୍ତ୍ରୀ ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ଯିବା ସହିତ ଭାରତ ଓ ସ୍ପେନ ମ୍ୟାଚକୁ ଉପଭୋଗ କରିବା କାର୍ଯ୍ୟକ୍ରମ ରହିଛି। ରାତି ୭ଟା ୩୦ରେ ମୁଖ୍ୟମନ୍ତ୍ରୀ ହକି ଷ୍ଟାଡିୟମରୁ ବିଶ୍ୱକପ ଗ୍ରାମକୁ ଫେରିବା ସହିତ ସେଠାରେ ରାତ୍ରିଯାପନ କରିବା କାର୍ଯ୍ୟକ୍ରମ ରହିଛି। ୧୪ ତାରିଖ ପୂର୍ବାହ୍ଣ ୧୧ଟା୨୦ରେ ମୁଖ୍ୟମନ୍ତ୍ରୀ ବିଶ୍ୱକପ ଗ୍ରାମରୁ ରାଉରକେଲା ବିମାନବନ୍ଦରକୁ ଯାଇ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ।

Breaking News