ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗତରାତିରେ ଉତ୍ତରପ୍ରଦେଶର ଝାନସୀ ମେଡିକାଲ କଲେଜର ଶିଶୁ ୱାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ବେଳେ ୧୦ ଶିଶୁ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଏହି ଅଗ୍ନିକାଣ୍ଡରେ ବହୁ ଶିଶୁ ଜଳି ଗୁରୁତର ହୋଇପଡ଼ିଛନ୍ତି। ଏହି ଘଟଣାକୁ ଅତି ଗୁରୁତର ସହ ନେଇଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଛନ୍ତି। ଏଥିସହ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି। ଝାନସୀ ମେଡିକାଲରେ ଘଟିଥିବା ଅଗ୍ନିକାଣ୍ଡ ଯୋଗୁ ମୃତ ଶିଶୁଙ୍କ ପରିବାର ପାଇଁ ୫ ଲକ୍ଷ ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ଏଥିସହ ଗୁରୁତରଙ୍କ ପରିବାର ନିମନ୍ତେ ୫୦ ହଜାର ଟଙ୍କା ଲେଖାଏ ଘୋଷଣା କରିଛନ୍ତି। ଗତ ରାତିରେ ଘଟିଥିବା ଏହି ଘଟଣା ସମଗ୍ର ଦେଶକୁ ଦୋହଲାଇ ରଖି ଦେଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଏନେଇ ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଓ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ। କ’ଣ ପାଇଁ ଏପରି ଭୟାବହ ଅଗ୍ନିକାଣ୍ଡ ଘଟିଲା,ଏତେ ସଂଖ୍ୟକ ଛୁଆଙ୍କ ଜୀବନ ଚାଲିଗଲା ତାହାର ଉଚ୍ଚସ୍ତରୀୟ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହି ଯାଞ୍ଚ ରିପୋର୍ଟ ୧୨ ଘଣ୍ଟାରେ ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଘଟଣାର ତ୍ରିସ୍ତରୀୟ ଯାଞ୍ଚ କରାଯିବ । ପ୍ରଥମ ଯାଞ୍ଚ ସ୍ୱାସ୍ଥ୍ୟ ବିଭାଗ କରିବ। ଦ୍ୱିତୀୟ ଯାଞ୍ଚ ପୁଲିସ୍ ପ୍ରଶାସନ ଓ ଅଗ୍ନିଶମ ବିଭାଗ କରିବେ। ଏହାପରେ ମାଜିଷ୍ଟ୍ରେଟ ଶେଷ ଯାଞ୍ଚ କରିବେ। ଯେଉଁମାନଙ୍କ ଦାୟିତ୍ୱହୀନତା ନିମନ୍ତେ ଏପରି ଘଟଣା ଘଟିଥିବା ପ୍ରମାଣିତ ହେବ ସେମାନଙ୍କୁ ଚିହ୍ନଟ କରି କଡ଼ା ଶାସ୍ତି ଦିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବି ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତ ଶିଶୁଙ୍କ ପରିବାର ପ୍ରତି ସେ ଗଭୀର ସମବେଦନା ଜଣାଇବା ସହ ଗୁରୁତର ଶିଶୁଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……