Report Card Odisha

| Daily Odia News

ଭରଣପୋଷଣ ପାଇଁ ସ୍ବାମୀକୁ ରୋଜଗାର କରିବାକୁ ପଡ଼ିବ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ସ୍ବାମୀ ସ୍ତ୍ରୀକୁ ଛାଡ଼ପତ୍ର ଦେଇଥିଲେ ମଧ୍ୟ ଭରଣପୋଷଣ କରିବାକୁ ପଡ଼ିବ। ସ୍ତ୍ରୀ ପାଖରେ ନାବାଳକ ପିଲାଛୁଆ ରହୁଥିଲେ ତାଙ୍କର ଭରଣପୋଷଣ ଦାୟିତ୍ବ ବି ନେବାକୁ ପଡ଼ିବ। ଏଥିପାଇଁ ସ୍ବାମୀକୁ ରୋଜଗାର କରିବାକୁ ପଡ଼ିବ। ଦରକାର ପଡ଼ିଲେ ଶାରୀରିକ ଶ୍ରମ କରି ସ୍ତ୍ରୀ-ପିଲାଙ୍କୁ ପୋଷିବାକୁ ପଡ଼ିବ। ସ୍ବାମୀ ଏ ଦାୟିତ୍ବକୁ କେବେହେଲେ ଏଡ଼ାଇଯାଇ ପାରିବ ନାହିଁ | ଏନେଇ ସୁପ୍ରିମ କୋର୍ଟ ରାୟ ଶୁଣାଇଛନ୍ତି । ଜଷ୍ଟିସ୍ ଦିନେଶ ମାହେଶ୍ବରୀ ଓ ବେଲା ଏମ୍ ତ୍ରିବେଦୀଙ୍କ ଖଣ୍ଡପୀଠ ସିଆର୍‌ପିସିର ଧାରା ୧୨୫ରେ ଭରଣପୋଷଣ ପାଇଁ ରହିଥିବା ବ୍ୟବସ୍ଥାର ତର୍ଜମା କରି କହିଛନ୍ତି ଯେ ସମ୍ବିଧାନର ଏହି ଧାରା ସାମାଜିକ ନ୍ୟାୟ ପାଇଁ ଉଦ୍ଦିଷ୍ଟ। ବିଶେଷକରି ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ଏହି ବ୍ୟବସ୍ଥା ରହିଛି। ତେଣୁ ମୋର ବ୍ୟବସାୟ ବନ୍ଦ ହୋଇଯାଇ ଥିବାରୁ ଏବେ କୌଣସି ଆୟପନ୍ଥା ନାହିଁ, ତେଣୁ ସ୍ତ୍ରୀ-ପିଲାଙ୍କୁ ଭରଣପୋଷଣ ଦେଇପାରିବି ନାହିଁ ବୋଲି କହୁଥିବା ସ୍ବାମୀଙ୍କ ଯୁକ୍ତିକୁ କୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ କହିଲେ ଯେ ମୁଦାଲା ସ୍ବାମୀ ଜଣକ ଶାରୀରିକ ଦୃଷ୍ଟିରୁ ଜଣେ ସକ୍ଷମ ପୁରୁଷ, ତେଣୁ ସେ ସ୍ତ୍ରୀ ଓ ନାବାଳକ ପିଲାଙ୍କ ଭରଣପୋଷଣ ପାଇଁ ସତ୍ ଉପାୟରେ ରୋଜଗାର କରିବାକୁ ବାଧ୍ୟ। ମୁଦେଇ ଓ ମୁଦାଲାଙ୍କ ସବୁ ଯୁକ୍ତି ଶୁଣିବା ଏବଂ ମୁଦାଲାଙ୍କ ଆର୍ଥିକ ସମ୍ବଳ ଓ ଆୟର ଉତ୍ସ ସମ୍ବନ୍ଧରେ ସବୁ ପ୍ରମାଣ ପାଇସାରିବା ପରେ କୋର୍ଟ କହିଲେ ଯେ ସ୍ବାମୀ ଜଣକ ସ୍ତ୍ରୀ-ପିଲାଙ୍କୁ ଭରଣପୋଷଣ ଦେବାକୁ ସକ୍ଷମ ମାତ୍ର ସେ ଜାଣିଶୁଣି ଦେଇନାହାନ୍ତି ବା ଅବହେଳା କରିଛନ୍ତି, ଯାହା ଗ୍ରହଣୀୟ ନୁହେଁ। ଏଣୁ କୋର୍ଟ କହିଲେ ଯେ ସମ୍ପୃକ୍ତ ସ୍ବାମୀଙ୍କୁ ସ୍ତ୍ରୀଙ୍କ ଭରଣପୋଷଣ ପାଇଁ ମାସିକ ୧୦ ହଜାର ଓ ନାବାଳକ ପୁଅ ପାଇଁ ମାସିକ ୬ ହଜାର ଟଙ୍କା ଦେବାକୁ ପଡ଼ିବ। ଏହା ପୂର୍ବରୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ସ୍ବାମୀଙ୍କ ସପକ୍ଷରେ ଦେଇଥିବା ରାୟକୁ କୋର୍ଟ ଖାରଜ କରିଦେଇଥିଲେ।

Breaking News